ସୁନା ଦୋକାନୀଙ୍କୁ ପିସ୍ତଲ ଦେଖାଇ ୧.୫ କେଜିରୁ ଊର୍ଦ୍ଧ୍ୱ ସୁନା ଲୁଟିନେଲେ ଦୁର୍ବୃତ୍ତ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହରର ମୁଖ୍ୟ ରାସ୍ତାରେ ଥିବା ଏକ ପ୍ରମୁଖ ସୁନା ଦୋକାନ ଅମୃତ କଳସ ଜୁୟେଲର୍ସରେ ଦିନଦ୍ୱିପହରେ ୬ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ପଶି ଦୋକାନ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏହି ସମୟରେ ଦୁର୍ବୃତ୍ତମାନେ ୧.୫ କେଜିରୁ ଊର୍‌ଦ୍ଧ୍ୱ ସୁନା ଗହଣା ସହ ୪୦ ହଜାର ନଗଦ ଟଙ୍କା, ଏକ ର୍ସ୍ମାଟ ଫୋନ ଓ ସିସିଟିଭିର ହାଡଡିକ୍ସ ଲୁଟି ନେଇଥିବା ଜଣାପଡ଼ିଛି । ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ରିପୋର୍ଟ ମୁତାବକ, ସବୁଦିନ ଭଳିି ଅପରାହ୍ନ ପ୍ରାୟ ୩ଟା ୩୦ରେ ଦୋକାନ ମାଲିକ ମୁକେଶ ଜୈନ ତାଙ୍କ ୨ଜଣ କର୍ମଚାରୀଙ୍କ ସହ ଆସି ଦୋକାନ ଖୋଲିଥିଲେ । ଅପରାହ୍ନ ୪ଟା ୧୫ରେ ୬ଜଣ ଦୁର୍ବୃତ୍ତ ୨ଟି ପଲସର ବାଇକରେ ଆସି ଦୋକାନ ମଧ୍ୟକୁ ପ୍ରବେଶ କରିବା ସହ ମାଲିକ ମୁକେଶଙ୍କ ମୁଣ୍ଡରେ ଶକ୍ତ ଆଘାତ କରିଥିଲେ । ପ୍ରଚୁର ରକ୍ତସ୍ରାବ ହୋଇ ମୁକେଶ ନିଜ ଚୌକିରେ ବସି ପଡ଼ିବା ପରେ ବନ୍ଧୁକ ମୁନରେ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରି ୨ଟି ବ୍ୟାଗରେ ସୁନା ଗହଣା ସବୁ ପୁରାଇ ଥିଲେ । ସେମାନେ ହିନ୍ଦୀରେ କଥାବାର୍ତ୍ତା ହେବାସହ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ତେବେ ରାସ୍ତା ଉପରେ ଦୋକାନ ମାଲିକ, କର୍ମଚାରୀ ଓ ସାଧାରଣ ଲୋକଙ୍କ ସହ ଧସ୍ତାଧସ୍ତି କରି ବନ୍ଧୁକ ଦେଖାଇ ଫେରାର ମାରିଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ପୁଲିସ କାହାରିକୁ ଧରିବାରେ ସକ୍ଷମ ହୋଇପାରି ନାହିଁ । ଘଟଣାସ୍ଥଳରେ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା, ଥାନାଧିକାରୀ ଅନନ୍ତ ପ୍ରଧାନ ଓ ସେକେଣ୍ଡ ଅଫିସର ପଣ୍ଡା ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।