ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ବାୟୁସେନା ତରଫରୁ ଏକ ପରାମର୍ଶ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମର ସଭାପତି ଅଧ୍ୟକ୍ଷ ଡ. ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ହୋଇଥିଲା। ମୁଖ୍ୟବକ୍ତା ଭାବେ ଭାରତୀୟ ବାୟୁ ସେନାର ଦୁଇ ପ୍ରମୁଖ ଅଧିକାରୀ ସର୍ଜନ କୃଷ୍ଣାରାମ ଓ ଭୂପେନ୍ଦ୍ର ସିଂ ଯୋଗଦେଇ ଛାତ୍ର ମାନଙ୍କ ସହିତ ବାୟୁସେନା ବିଷୟରେ ସବିଶେଷ ଆଲୋଚନା କରିଥିଲେ।କିଭଳି ଭାବରେ ନିଜକୁ ଏହି ବିଭାଗରେ ସାମିଲ କରାଇପାରିବେ ସେ ବିଷୟରେ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା କର୍ମନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ ଯୋଗଦେଇ ଯୁବଶକ୍ତି ହେଉଛନ୍ତି ରାଷ୍ଟ୍ର ଶକ୍ତି ଏବଂ ଦେଶକୁ ସମୃଦ୍ଧ କରିବାରେ ଛାତ୍ର ନିଜକୁ ସାମିଲ୍ କରିବାକୁ ପ୍ରେରଣା ଦେଇଥିଲେ। ସହକାରୀ ପ୍ରଫେସର ଡ. ଅରବିନ୍ଦ କୁମାର ଓଝା ଅଗ୍ନିବୀରଙ୍କ ମହନୀୟତା ସଂପର୍କରେ ଅବଗତ କରାଇଥିଲେ।
ପ୍ରଶ୍ନଉତ୍ତର ମାଧ୍ୟମରେ ଛାତ୍ରମାନଙ୍କ ବିଭିନ୍ନ ସନ୍ଦେହ ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ଭାଗରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡ. ଲକ୍ଷ୍ମୀ ବେହେରା, ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ, ଜିଭିଭି ରଞ୍ଜିତା, ମୋନାଲିସା ନାଗ, ସୁମନ୍ତ ବାଘେଲ୍, ପଲ୍ଲବୀ ସାହୁ ତଥା ସମସ୍ତ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।