ଫସଲବୀମା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ, ନମିଳିଲେ ୩୦ରୁ ଜାତୀୟ ରାଜପଥ ଅବରୋଧ ଚେତାବନୀ

ସଇଁତଲା,ଏନ୍ଏନ୍ଏସ୍: ସଇଁତଲା ବ୍ଲକର ଚାଷୀମାନଙ୍କୁ ଗତ ବର୍ଷର ଫସଲବୀମା ଅଦ୍ୟାବଧି ପ୍ରଦାନ କରାଯାଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳର ଡେଙ୍ଗ, କୁମ୍ଭାରୀ, ଭଦ୍ରା, ଘୁନସର, ଆମ୍ବପାଲି, ତାଲବାହାଲ, ଟିକ୍ରାପଡ଼ା, ଗଣ୍ଡପତ୍ରାପାଲି, କୁଇକେଡ଼ା, ସଇଁନ୍ତଲା, ବିବିନା, କନ୍ଧକେଲଗାଁ, ଜୁରାବନ୍ଧ, ଝିଙ୍କିଡୁଙ୍ଗୁରୀ, ଟିକ୍ରାପଡ଼ା ଓ କଅଁସର ଅଞ୍ଚଳର ଚାଷୀମାନେ ସୋମବାର ଦିନ ସଇଁତଲା ତହସିଲ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟରେ ତାଲା ଦେବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଦଲାରଙ୍କୁ ପ୍ରଦାନ କରିଥିଲେ। ଗତ ଜୁଲାଇ ୮ ତାରିଖ ଦିନ ଚାଷୀମାନେ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଫସଲବୀମା ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ। ବୀମା କମ୍ପାନୀ କିମ୍ବା ଅନ୍ୟ କୌଣସି ପ୍ରଶାସନିକ ଅଧିକାରୀ ଫସଲବୀମା ପ୍ରଦାନ ନେଇ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନଥିବାରୁ ଚାଷୀମାନେ ଆଜି ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ତାଲା ମାରିଦେଇଥିଲେ।

ତହସିଲଦାର ସୁରେନ୍ଦ୍ର ମେହେର ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଚାଷୀମାନେ ଫସଲବୀମା ତୁରନ୍ତ ପ୍ରଦାନ କରାଯାଉ ନହେଲେ ଆଗାମୀ ୩୦ତାରିଖ ଦିନ ଜାତୀୟ ରାଜପଥ-୨୬କୁ ଅବରୋଧ କରିବୁ ଓ ଏଥିପାଇଁ ସମ୍ପୂର୍ଣ୍ଣ ରୂପରେ ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ମେହେରଙ୍କୁ କହିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରୀ ମେହେର ଏ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ତୁରନ୍ତ ଫସଲବୀମା ପ୍ରଦାନ କରିବାକୁ କମ୍ପାନୀ ଅଧିକାରୀଙ୍କୁ କହିବି ବୋଲି କହିବା ପରେ ଚାଷୀମାନେ ତହସିଲ କାର୍ଯ୍ୟାଳୟର ତାଲା ଖୋଲିଥିଲେ।

ଦୀର୍ଘ ସମୟ ଧରି ତହସିଲ କାର୍ଯ୍ୟାଳୟରେ ତାଲା ଦିଆଯାଇଥିବାରୁ କାର୍ଯ୍ୟାଳୟକୁ ଆସିଥିବା ବହୁ ଜନସାଧାରଣ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଦାବି ପ୍ରଦାନ ସମୟରେ ବିଜେପିର ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର, ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା,ସରୋଜ ସାହୁ, ବିରଞ୍ଚି ରଣା, ନୀଳାଞ୍ଚଳ ସାହୁ, ଗୋବିନ୍ଦ ସାହୁ, ଶାନ୍ତନୁ ସାହୁ, ଶରତ ମାଝୀ, ରାମଚନ୍ଦ୍ର ରଣା, ଦୁର୍ଯ୍ୟୋଧନ ରଣା, ଶରତ ମାଝୀ, ବିଜୁ ସାହୁ, ଲକ୍ଷେ ରଣା, ପ୍ରମୋଦ ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।