ମଞ୍ଚେଷ୍ଟର,ଏଜେନ୍ସି: ଭାରତୀୟ ଟିମ୍ର ୱିକେଟ୍କିପର ବ୍ୟାଟର ଋଷଭ ପନ୍ତ ଦିନିକିଆ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ୨୦୧୮ରେ ପଦାର୍ପଣ କରିବା ପରେ ପନ୍ତଙ୍କୁ ପ୍ରଥମ ଶତକ ପାଇଁ ୪ ବର୍ଷ ଓ ୨୬ ଦିନିକିଆର ଅପେକ୍ଷା କରିବାକୁ ପଡ଼ିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମୁକାବିଲାରେ ଭାରତ ପ୍ରଥମ ୯ ଓଭରରେ ଶୀର୍ଷ କ୍ରମର ୩ ଜଣ ବ୍ୟାଟର ଶିଖର ଧୱନ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଥିଲା । ଏହା ପରେ ପନ୍ତ ଅପରାଜିତ ଶତକ ହାସଲ କରିଥିଲେ ।
ଆରମ୍ଭରୁ ଭାରତ ବିପର୍ଯ୍ୟୟର ଶିକାର ହେଲା ପରେ ଋଷଭ ପନ୍ତ ଧୀମାଗତିରେ ବ୍ୟାଟିଂ କରିଥିଲେ । ସେ ବଡ଼ ଚତୁରତାର ସହିତ ଇଂଲଣ୍ଡର ସମସ୍ତ ବୋଲରଙ୍କୁ ସାମ୍ନା କରିଥିଲେ । ସେ ୭୧ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆଣିଥିଲେ । ୧୦୬ଟି ବଲରେ ଶତକ ହାସଲ କରିଥିଲେ । ଅର୍ଥାତ ପରବର୍ତ୍ତୀ ୫୦ ରନ୍ କରିବାକୁ ସେ ୩୫ଟି ବଲ୍ ଖେଳିଥିଲେ । ଶତକ ହାସଲ କରିବା ପରେ ସେ ୭ଟି ବଲ୍ ଖେଳି ୨୫ ରନ୍ ସଂଗ୍ରହ କରିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ପନ୍ତ ୧୧୩ଟି ବଲ୍ ଖେଳି ୧୨୫ ରନ୍ ସଂଗ୍ରହ କରିଥିଲେ ।
ପାୱାରପ୍ଲେ ସମୟରେ ପନ୍ତ ଅନେକ ଥର ବ୍ୟାଟିଂ ଓଭରରେ ୫ରୁ ୬ଟି ଚୌକା ମାରିଥିଲେ । କିନ୍ତୁ ପନ୍ତ ୪୨ତମ ଓଭରରେ ଡେଭିଡ ୱିଲିଙ୍କୁ ଟାର୍ଗେଟ କରିଥିଲେ । ସେ ପ୍ରଥମ ୫ଟି ବଲ୍କୁ ଚୌକା ମାରି ବିଶ୍ୱ ଚାମ୍ପିଅନ ଇଂଲଣ୍ଡକୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ପନ୍ତ ମୋଟ ୧୬ଟି ଚୌକା ମାରିଥିଲେ । ଭାରତ ୪୩ତମ ଓଭରରେ ୫ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ସୂଚନାଯୋଗ୍ୟ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୯ ରନ୍ କରିଥିଲା । ଭାରତ ୨୬୧ ରନ୍ ସଂଗ୍ରହ କରି ମ୍ୟାଚ ଜିତିଥିଲା ।