ଭାଲୁ ମଣିଷ ଲଢେଇ: ୩ ମୃତ, ୨ ଗୁରୁତର

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମରେ ଶୁକ୍ରବାର ଦିନ ଭାଲୁ ଓ ମଣିଷ ମଧ୍ୟରେ ଲଢ଼େଇ ହୋଇଛି। ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌ସେହିପରି ଲୋକେ ଭାଲୁକୁ ପିଟିପିଟି ମାରିଦେଇଥିବା ଅଭି‌ଯୋଗ ହୋଇଛି। ଗୁରୁତର ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ସମରସିଂ ଗ୍ରାମର ରତନ ମାଝୀ, ୫୮ ଶୁକ୍ରବାର ଦିନ ନିଜ ବିଲ କୁ ଚାଷ କରିବା ପାଇଁ ଯାଇଥିଲେ। ସେଠାରେ ଭାଲୁ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରିନଥିବାରୁ ତାଙ୍କୁ ଖୋଜିବା ପାଇଁ ଗ୍ରାମର ନକୁଲ ମାଝୀ, ରବି ରଣା, କୁନା ମାଝୀ ଓ ପରମେଶ୍ବର ମାଝୀ ଜଙ୍ଗଲକୁ ଯାଇଥିଲେ। ସେଠାରେ ରତନଙ୍କୁ ଭାଲୁ ମାରି ଦେଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ଭାଲୁଟି ପୁଣି ନକୁଲ ଓ ରବିଙ୍କୁ ଆକ୍ରମଣ କରିଥିଲା। କିଛି ସମୟ ଧରି ଭାଲୁ ସହିତ ସେମାନେ ଲଢ଼େଇ କରିଥିଲେ। ସେହି ଦୁଇଜଣଙ୍କୁ ମଧ୍ୟ ଭାଲୁ ମାରି ଦେଇଥିବା ଜଣାପଡ଼ିଛି। ଅନ୍ୟମାନେ ଭାଲୁକୁ ମଧ୍ୟ ମାରିଦେଇଥିବା ଆଲୋଚନା ହେଉଛି। ଗ୍ରାମର ଲୋକେ ବନବିଭାଗକୁ ସୂଚନା ଦେଇଛନ୍ତି।
ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାତି ପ୍ରାୟ ୧୧ଟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତିନି ମୃତଦେହ କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ସୂଚନା ମିଳିଛି।
ଖରୀଆର ଏସିଏଫ ମହମ୍ମଦ ମୁସ୍ତାଫା ସାଲିହା ନୂଆପଡା ରେଞ୍ଜର ବିନିତା ଭୋଇ ଏବଂ ଘାଟିବିଟ ସେକ୍ସନ ଓ ଲଖନା ବିଟ ସେକ୍ସନ ର ଦୀପ୍ତିମାନ ପଣ୍ଡା ପରମାନନ୍ଦ ତାଣ୍ଡି ଦୀପାଞ୍ଜଳି ସାହୁ ଘନ ଶବର ଏହା ବ୍ୟତୀତ ଲଖନା ଥାନା ଅଧିକାରୀ ଗୁରୁଦେବ କର୍ମୀ ମଧ୍ୟ ଘଟଣାସ୍ଥଳ ରେ ଉପସ୍ଥିତ ଥିଲେ ।