ଉତ୍ତରପ୍ରଦେଶ: ଲଖନଉରେ ୧୪୪ ଧାରା ଲାଗୁ; ‘ଲୁଲୁ ମଲ୍‌’ରେ ଧାର୍ମିକ କାର୍ଯ୍ୟ ରଦ୍ଦ, ୪ ଗିରଫ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉସ୍ଥିତ ‘ଲୁଲୁ ମଲ୍‌’ରେ ନମାଜ ପାଠକୁ ନେଇ ଆରମ୍ଭ ହୋଇଥିବା ବିବାଦ ବଢ଼ିଚାଲିଛି । ଶୁକ୍ରବାର ବିଳମ୍ବିତ ରାତିରେ ଧାମିର୍କ କାର୍ଯ୍ୟ କରିବାକୁ ପହଞ୍ଚିଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ କହିବା ଅନୁସାରେ ଲଖନଉରେ ପୂର୍ବରୁ ହିଁ ୧୪୪ ଧାରା ଲାଗୁ ହୋଇଛି । ଏହାର ଉଲ୍ଲଂଘନକାରୀକୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ, ଯେଉଁ ୪ ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସରୋଜ ନାଥ ଯୋଗୀ, କୃଷ୍ଣ କୁମାର ପାଠକ, ଗୌରବ ଗୋସ୍ୱାମୀ ଓ ଅରଶଦ ଅଲୀ । ପୋଲିସ ଆହୁରି ମଧ୍ୟ କହିଛି ଯେ, ଧାରା ୧୪୪ ଲାଗୁ ହେଲା ପରେ ବି କିଛି ଲୋକ ବିନା ଅନୁମତିରେ ମଲ ଭିତରେ ଧାର୍ମିକ କାର୍ଯ୍ୟ କରିବାକୁ ଚାହୁଁଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଛି । ଏହା ପୂର୍ବରୁ ଏକ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୬ଟାରେ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ୧୦ ତାରିଖ ଦିନ ଲୁଲୁ ମଲ ଉଦ୍‌ଘାଟିତ ହୋଇଥିଲା । ଏହାର ଦିନକ ପରେ ଏକ ଭିଡିଓ ଆସିଥିଲା ଯେ, ମଲ ପରିସରରେ କିଛି ଲୋକ ନମାଜ ପାଠ କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଏକ ଧାର୍ମିକ ଅନୁଷ୍ଠାନ ଅଭିଯୋଗ ଆଣିଥିଲା । ଏକ ସଂସ୍ଥାର ରାଷ୍ଟ୍ରୀୟ ମୁଖପାତ୍ର କହିଥିଲେ ଯେ, ଲୁଲୁ ମଲରେ ନମାଜ ପାଠ କରାଯାଉଛି । ଭିଡିଓରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ସରକାରଙ୍କ ଆଦେଶର ଉଲ୍ଲଂଘନ ହେଉଛି । କାରଣ ସରକାର ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ, ସର୍ବସାଧାରଣସ୍ଥଳରେ ଧାର୍ମିକ କାର୍ଯ୍ୟ କରାଯାଇପାରିବ ନାହିଁ ।