ବରଗଡ଼/ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ବରଗଡ଼ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ ଏଚ୍ଡିଏଫ୍ସି ଏଗ୍ରୋ ବୀମା କମ୍ପାନୀ ଚାଷୀମାନଙ୍କୁ ୨୦୨୧-୨୨ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଜାଲିଆତି ସହ ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏଭଳି ସମୟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତାକୁ ନେଇ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପ୍ରଶ୍ନ ଉଠାଇଛନ୍ତି । ଆଜି ପଦ୍ମପୁର (ବରଗଡ଼) ପୂର୍ତ୍ତ ଡାକବଙ୍ଗଳାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି ଯେ ଗତତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜୁ ଜନତା ଦଳ ସଂପୃକ୍ତ କମ୍ପାନୀଠାରୁ ୧ଶହ କୋଟି ଟଙ୍କା ଦଳୀୟ ପାଣ୍ଠି ସଂଗ୍ରହ କରିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀଙ୍କୁ ସମର୍ଥନ ନକରି ବୀମା କମ୍ପାନୀ ସପକ୍ଷରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଯାହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ଏହାଛଡ଼ା ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ପଞ୍ଜିକୃତ କରିଛନ୍ତି ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ନପାଇବା ପର୍ଯ୍ୟନ୍ତ ଚାଷୀଙ୍କ ହକ ପାଇଁ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ଗତକାଲି ବରଗଡ଼ କୃଷି ବିଭାଗର ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ପରେ ଆସନ୍ତା ୧୬ ତାରିଖ ଦିନ ବରଗଡ଼ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଣ୍ଟିଆ ଧାରଣା ଦିଆଯିବ । ସେହିପରି ଆସନ୍ତା ୧୮ ତାରିଖରେ ବିଭିନ୍ନ କୃଷକ ସଙ୍ଗଠନ ଦ୍ୱାରା ପଦ୍ମପୁର ସବ୍ଡିଭିଜନ ବନ୍ଦ ପାଳନର ଆହ୍ୱାନକୁ ବିଜେପି ପୂର୍ଣ୍ଣ ସମର୍ଥନ କରିବା ସହ ଏଥିରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ସାମିଲ ହେବା ପାଇଁ ଶ୍ରୀ ପୁରୋହିତ ଆହ୍ୱାନ କରିଛନ୍ତି ।
ଏଥିସହ ଏଚ୍ଡିଏଫ୍ସି ବୀମା କମ୍ପାନୀକୁ ରାଜ୍ୟ ସରକାର କଳା ତାଲିକାଭୁକ୍ତ କରନ୍ତୁ ଓ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଏହି କମ୍ପାନୀ ସହ ଓଡ଼ିଶା ସରକାର ଚୁକ୍ତିପତ୍ର ସ୍ୱାକ୍ଷର କରନ୍ତୁ ନାହିଁ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି । ସେହିପରି ପଦ୍ମପୁର ସବ୍ଡିଭିଜନକୁ ରାଜ୍ୟ ସରକାର ମରୁଡ଼ି ଘୋଷଣା କରି ଚାଷୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି ।