ଫୁଲବାଣୀ,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁ ଫୁଲବାଣୀ ସହରରେ ଗୋଟିଏ ପରିବାରରୁ ମା’-ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ବାପ-ପୁଅ ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ ନାରାୟଣି ମନ୍ଦିର ନିକଟ ତ୍ରିଦେବୀ ନଗରର ମଆ ସୁରତୀ ମାଝୀ(୪୨) ଓ ତାଙ୍କ ୫ ବର୍ଷର ଝିଅ ସ୍ମିତାରାଣୀ ମାଝୀ । ଏହି ଦୁର୍ଘଟଣାରେ ସୁରତୀଙ୍କ ସ୍ୱାମୀ ବ୍ରଜବନ୍ଧୁ ମାଝୀ(୪୫) ଓ ୩ ବର୍ଷର ପୁଅ ରୋହନ ମଧ୍ୟ ଗୁରୁତର ହୋଇ ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ ଜିଲା ବାଣିଗୋଚ୍ଛା ଥାନା ଅଂଚଳର ବ୍ରଜବନ୍ଧୁ ଗତ ପ୍ରାୟ କିଛି ବର୍ଷ ହେଲା ଫୁଲବାଣିରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ମୂଲିଆ କାମ କରୁଥିଲେ । ସେମାନେ ସ୍ଥାନୀୟ ନାରାୟଣୀ ମନ୍ଦିର ନିକଟ ପବ୍ଲିକ ସ୍କୁଲ ପଛପାଖରେ ଏକ କଚ୍ଚା ଘର କରି ନିଜର ଦୁଇ ସନ୍ତାନଙ୍କ ସହ ରହୁଥିଲେ । ଆଜି ଅପରାହ୍ନରେ ସେମାନେ ଏକତ୍ର ଘର ଭିତରେ ବସି ମଧ୍ୟାନ ଭୋଜନ କରୁଥିଲେ । ଏହି ସମୟରେ ଘରକୁ ଲାଗି ରହିଥିବା ପଡିଶା ଘରର କାନ୍ଥ ବ୍ରଜବନ୍ଧୁଙ୍କ ଘରର କାନ୍ଥ ଉପରେ ପଡିଯିବାରୁ ତାଙ୍କ କଚ୍ଚା କାନ୍ଥଟି ଭୂଷୁଡି ପଡିଥିଲା । ଫଳରେ ପରିବାରର ସମସ୍ତେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ।
ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବାରେ ଅଗ୍ନିଶମ କର୍ମଚାରୀଙ୍କ ସହ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ସସ୍ମିତା ସାହୁ ଓ ରେସମା ବେହେରା ପ୍ରମୁଖଙ୍କ ସମେତ ଜଗନ୍ନାଥ ରାଜୁ, ସାଇ ପାତ୍ର, ଅଶ୍ମିନି ସାହୁ, ଅମର ପାତ୍ର , ମାନସ ପୃଷ୍ଟି, ପ୍ରଶାନ୍ତ ପାଣିଗ୍ରାହୀ, ରାଜା ପ୍ରଧାନ ଓ ଅନ୍ୟମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ମା ସୁରତୀ ଓ ଝିଅ ସ୍ମିତାରାଣୀଙ୍କୁ ମୃତ ଘୋଷଣା କରିଥିଲେ । ବାପା ବ୍ରଜବନ୍ଧୁ ଓ ୩ ବର୍ଷର ପୁଅ ରୋହନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।
ଖବର ପାଇ ଉପଜିଲ୍ଲାପାଳ ଶେଷଦେବ ମିଶ୍ର , ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ତହସିଲଦାର ଦିନମଣି ନାୟକ, ପୌର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହା. ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହି ଘଟଣାକୁ ରୋକିବା ପାଇଁ ଲଗାଣ ବର୍ଷା ବନ୍ଦ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳରେ ଥିବା କଚ୍ଚାଘର ବାସିନ୍ଦାଙ୍କୁ ନିକଟସ୍ଥ ଜିଲା ସଂସ୍କୃତି କାର୍ଯ୍ୟାଳୟକୁ ସ୍ତାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ ।