ଭଞ୍ଜନଗର,ଏନ୍ଏନ୍ଏସ୍: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ଅନ୍ତର୍ଗତ ବନ୍ଧଗୋଛା ଜଙ୍ଗଲରୁ ଗତ ୭ ତାରିଖରେ ଦାନ୍ତବିହୀନ ହାତୀର ମୃତଦେହ ଉଦ୍ଧାର ଘଟଣାରେ ବନ ବିଭାଗକୁ ସଫଳତା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବେଲାଟୁନୁ ଗ୍ରାମର ଯୁବରାଜ ଦିଗାଲ, ତାଙ୍କ ପୁଅ ଦୀପକ ଦିଗାଲ ଏବଂ ପୁତୁରା ରୁନା ଦିଗାଲକୁ ଗିରଫ କରାଯାଇଥିବା ନେଇ ବନଖଣ୍ଡ ଅଧିକାରୀ ସୂଦର୍ଶନ ବେହେରା ସୂଚନା ଦେଇଛନ୍ତି ।
ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତକୁ ମଧ୍ୟ ଜବତ କରାଯାଇଛି । ଯାହାର ଓଜନ ୪ କିଲୋ ୭୦୦ ଗ୍ରାମ୍ । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୭ ତାରିଖରେ ଏମାନେ ହାତୀକୁ ଶିକାର କରି ଦାନ୍ତକୁ କାଟି ନେଇଥିଲେ । ପରେ ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଅଭିଯୁକ୍ତମାନେ ଘର ପଛପାଖ ଜମିରେ ମାଟି ଖୋଳି ହାତୀ ଦାନ୍ତ ପୋତି ଦେଇଥିଲେ । ପରବର୍ତ୍ତୀ ସମୟରେ ହାତୀର ଶବ ବ୍ୟବଚ୍ଛେଦ ହେବା ପରେ ଗୁଳି କରି ହାତୀକୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ତେବେ ପରେ ଚଢଉ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ।
ଏହି ଚଢଉରେ ମୁଜାଗଡ଼ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଓ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ପ୍ରମୁଖ ସାମିଲ ଥିଲେ । ଘଟଣାର ସବିଶେଷ ତଥ୍ୟ ସଂକ୍ରାନ୍ତରେ ଏବେବି ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା କୁହାଯାଇଛି ।