ଶ୍ରୀଲଙ୍କା ଆର୍ଥିକ ସଙ୍କଟ: ସୈନ୍ୟ ପଠାଇବା ଚର୍ଚ୍ଚାକୁ ଭାରତର ଖଣ୍ଡନ

କଲୋମ୍ବୋ,ଏଜେନ୍ସି: ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଭାରତ ସୈନ୍ୟ ପ୍ରେରଣ କରିପାରେ ଲାଗି ରହିଥିବା ଚର୍ଚ୍ଚାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ପକ୍ଷରୁ ସୈନ୍ୟ ପ୍ରେରଣ ନେଇ କୌଣସି ଯୋଜନା ନଥିବା ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ସେନା ହିଂସା ଦମନ କରିବା ଦିଗରେ ସଫଳ ହେବା ପରି ସ୍ଥିତିରେ ଦୃଶ୍ୟମାନ ହେଉନାହିଁ । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ମଧ୍ୟ ରାଜଧାନୀ ଛାଡି ଅନ୍ୟତ୍ର ଆତ୍ମଗୋପନ କରିଛନ୍ତି । ରାଷ୍ଟ୍ରପତି ଭବନ ସମେତ ଅନେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏବେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି । ବିଭିନ୍ନ ସ୍ଥାନରେ ହିଂସା ଲାଗିରହିଛି । ଜନ ପ୍ରତିନିଧିମାନେ ଆକ୍ରମଣର ଶିକାର ହେବାର ଲାଗିଛନ୍ତି । ଏପରି ଅଣାୟତ୍ତ ସ୍ଥିତିରେ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ସୈନ୍ୟ ପ୍ରେରଣ କରିପାରେ ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ତେବେ ପଡୋଶୀ ଶ୍ରୀଲଙ୍କାରେ ବଦଳୁଥିବା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଆବଶ୍ୟକ ସହାୟତା ମଧ୍ୟ ଯୋଗାଣ ଜାରି ରହିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଆସିଛି । ଏପରି ସ୍ଥଳେ ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପ୍ରେରଣ ନେଇ ଗଣମାଧ୍ୟମ ଚର୍ଚ୍ଚାକୁ ଖଣ୍ଡନ କରିଛି ଭାରତୀୟ ଦୂତାବାସ । ଗତକାଲି ଗଣମାଧ୍ୟମର ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଭାରତକୁ ଶ୍ରୀଲଙ୍କା ନିକଟରୁ ଶରଣାର୍ଥୀ ସମସ୍ୟା ନଥିବା ମଧ୍ୟ ସ୍ପଷ୍ଟ କରିଥିଲେ । ଶ୍ରୀଲଙ୍କା ସଙ୍କଟ ପ୍ରାରମ୍ଭିକ ସମୟରୁ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ୩.୮ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସହାୟତା ରାଶି ପ୍ରଦାନ କରାଯାଇସାରିଲାଣି ।