କହ୍ନୈୟା ଲାଲଙ୍କ ପରିବାରକୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଉଦୟପୁର: ରାଜସ୍ଥାନର ଉଦୟପୁରରେ କହ୍ନୈୟା ଲାଲଙ୍କ ନିର୍ମମ ହତ୍ୟା ପରେ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଭେଟିଛନ୍ତି । ଏହି ସମୟରେ ଗେହଲତ ପରିବାରକୁ ୫୧ ଲକ୍ଷ ଟଙ୍କାର ଚେକ ଦେବା ସହ ୨ ପୁଅଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା, ଗୃହ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଯାଦବ, ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ, ସିଏସ ଉଷା ଶର୍ମା ଓ ଡିଜିପି ମୋହନ ଲାଲ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ ।

ପରିବାରକୁ ଭେଟିବା ପରେ ଅଶୋକ ଗେହଲତ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣା ଖୁବ ଦୁଃଖଦାୟକ । ଏହି ହତ୍ୟାକୁ ନେଇ ସମଗ୍ର ଦେଶବାସୀ ଦୁଃଖିତ ଅଛନ୍ତି । ସରକାର ପୀଡ଼ିତ ପରିବାର ସହିତ ରହିଛି ଓ ଯଥାସମ୍ଭବ ସାହଯ୍ୟ ପ୍ରଦାନ କରିବ । ହତ୍ୟା ସହ ଆନ୍ତର୍ଜାତିକ ଲିଙ୍କ ଜଡ଼ିତ ରହିଛି । ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ହେବା ନେଇ ଗୃହମନ୍ତ୍ରୀଙ୍କ ସହ କଥା ହେବୁ ।