ସଇଁନ୍ତଲାରେ ସ୍ୱତନ୍ତ୍ର ଉପକରଣ ଚିହ୍ନଟ ଶିବିର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭିନ୍ନକ୍ଷମ ସ୍କୁଲ ପରିସରରେ ଏଏଲଆଏମସିଓ ଭୁବନେଶ୍ୱର ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ସ୍ୱତନ୍ତ୍ର ଉପକରଣ ପାଇବା ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଇଁନ୍ତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ସଇଁନ୍ତଲା ବିଡିଓ ଚନ୍ଦ୍ରମଣି ନାଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ ପଟ୍ଟନାୟକ, ସିଡିପିଓ ସବିତା ଦାସ, ବରିଷ୍ଠ ସେକ୍ସନ ଅଫିସର ଗଣେଶରାମ ବେହେରା, ଜିପିଇଓ ଲକ୍ଷଣ ପ୍ରଧାନ, ବ୍ଲକ ଜନମଙ୍ଗଳ ଅଧିକାରୀ ମନୋରଞ୍ଜନ ବେହେରା, ଜୁରାବନ୍ଦ ସରପଞ୍ଚ କରିସ୍ମା ନନ୍ଦ ଓ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୧୭୪ଜଣ ଭିନ୍ନକ୍ଷମଙ୍କ ପଞ୍ଜିକରଣ ହୋଇଥିବାବେଳେ ୯୫ ଉପକରଣ ଓ ୪୦ଜଣ ବୃଦ୍ଧଙ୍କୁ ଭତ୍ତା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ୨୨ଟି ପଞ୍ଚାୟତର ଭିନ୍ନକ୍ଷମ ଓ ବୃଦ୍ଧ ଯୋଗ ଦେଇଥିଲେ । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ଧନ୍ୟବାଦ ଦେଇଥିଲେ ।