ସଇଁତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଘଟଣାରେ ସଇଁତଲା ପୁଲିସକୁ ବଡ଼ ସଫଳତା ମିଳିଛି। ଏଥିରେ ପୁଲିସ ୭ ଜଣ ଲୁଟେରାଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବେଲପଡା ଥାନାର ଡୁଙ୍ଗୁରିଗୁଡା ଗ୍ରାମର ପ୍ରତାପ ସୁନା(୨୨), ଦେଓଗାଁ ଥାନା ପଟାମୁଣ୍ଡା ଗ୍ରାମର ରୋହିତ ନନ୍ଦ (୨୫), ସଇଁତଲା ଥାନାର ଖାସବାହାଲ ଗ୍ରାମର ଦୁଃଖ ନାଏକ (୨୩), ଶିଶୁ ନାଗ (୨୩), ପରମା ସେଠ (୩୧), ରାଜେଶ ନାଗ(୩୦), ମୁକେଶ ଯାନୀ( ୨୧)। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୬ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ୨ଟି ଲୁହା ପାଇପ, ଗୋଟିଏ କଟୁରୀ, ୨ଟି ଟର୍ଚ୍ଚ ଲାଇଟ ଓ ମରିଚଗୁଣ, ନଗଦ ୧୯ ହଜାର ୭ ଶହ ଟଙ୍କା, ୩ଟି ମୋଟର ସାଇକେଲ ଆଦି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି।
ସୂଚନାରୁ ପ୍ରକାଶ ଯେ ବଲାଙ୍ଗିର ଜିଲ୍ଲାର ସଦର ଥାନା, ବେଲପଡା, ମୁରିବାହାଲ, ଦେଓଗାଁ, ସଇଁତଲା, କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଅଞ୍ଚଳରୁ ଫାଇନ୍ସସ କର୍ମଚାରୀମାନଙ୍କୁ ଟାର୍ଗେଟ କରି ଲୁଟ ହେଉଥିବା ନେଇ ବଲାଙ୍ଗିର ଏସପି ଜିଲ୍ଲାର ସମସ୍ତ ଥାନା ମାନଙ୍କୁ ପେଟ୍ରୋଲିଙ୍ଗ କଡାକଡି କରିବା ପାଇଁ ନିର୍ଦେଶ ଦେଇଥିଲେ। ଗତ ୧୩ ତାରିଖ ଦିନ ସଇଁତଲାରୁ ଟିଟିଲାଗଡ଼ ରାସ୍ତା କୁଇକେଡ଼ା ପଞ୍ଚାୟତର କଳାହାଣ୍ଡି ଛକ ବରଗଛ ଠାରେ ୯ ଜଣ ଲୁଟେରା ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ କିଛି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ଥାନା ଏସଆଇ ସଂଗୀତ ବେକ, ଏଏସଆଇ ଥବିର ମହାରଣା ସହ ପୁଲିସ ଟିମ କଳାହାଣ୍ଡି ଛକକୁ ପହଞ୍ଚି ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲେ। ଏନେଇ ସଇଁତଲା ପୁଲିସ ଥାନାରେ କେସ ନଂ ୧୭୦/୨୨ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବାରୁ ଅଭିଯୁକ୍ତମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ୨୫ଟି ମାମଲା ରହିଥିବା ଜଣାପଡିଥିଲା। ଏଗୁଡିକ ହେଲା ସଇଁତଲା ଥାନାରେ ୧୦ଟି, ବେଲପଡା, ମୁରିବାହାଲ, ବଲାଙ୍ଗିର ସଦର ଥାନାରେ ଗୋଟିଏ ଲେଖାଏଁ କେସ ରହିଥିବା ବେଳେ ତୁଷୁରା ଥାନାରେ ୪ଟି, ଦେଓଗାଁ ଥାନାରେ ୩ଟି ଓ କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନାରେ ୫ ଗୋଟି ମାମଲା ରହିଥିବା ଜଣାପଡିଛିl ଏହାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ମାଇନା କରି କଡ଼ା ସୁରକ୍ଷା ବଳରେ ସଇଁତଲା କୋର୍ଟ ଚାଲାଣ କରାଯାଇଥିଲାl ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି।