‘ଅଗ୍ନିପଥ ସ୍କିମ’ ଘୋଷଣା କଲେ ପ୍ରତିରକ୍ଷା ମନ୍ତ୍ରୀ: ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ ଯୁବକ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ ସ୍କିମ’ର ଘୋଷଣା କରିଛନ୍ତି । ଏହି ଅବସରରେ ଆୟୋଜିତ ହୋଇଥିବା ପ୍ରେସ କନଫ୍ରେନ୍ସରେ ରାଜନାଥ ସିଂହଙ୍କ ସମେତ ୩ ସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ଏୟାର ଚୀଫ ମାର୍ଶଲ ବୀଆର ଚୌଧୁରୀ ଓ ନୌସେନା ଚୀଫ ଏଡମିରଲ ଆର ହରି କୁମାର ମଧ୍ୟ ଉପସ୍ଥିତ ଥିଲେ । ରାଜନାଥ ସିଂହ କହିଛନ୍ତି ଯେ, ଭାରତୀୟ ସେନାକୁ ବିଶ୍ୱର ଶ୍ରେଷ୍ଠ ସେନାରେ ପରିଣତ କରିବା ଦିଗରେ ଆଜି ସଂସଦୀୟ ସମିତି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ଲଞ୍ଚ କରାଯାଇଥିବା ଏହି ସ୍କିମ ଖାସ୍ ଦେଶର ସେବା କରିବା ପାଇଁ ଚାହୁଁଥିବା ଯୁବକଙ୍କ ପାଇଁ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଦେଶର ଯୁବା ୪ ବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ । ଏଥିରେ ପ୍ରାୟ ୪୫ ହଜାର ଯୁବ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବ । ଏହି ନିଯୁକ୍ତି କାଳ ମଧ୍ୟରେ ପ୍ରଥମେ ୬ ମାସ ଟ୍ରେନିଂ ଦିଆଯିବ । ନିଯୁକ୍ତି ପରେ ମାସିକ ୩୦ରୁ ୪୦ ହଜାର ଦରମା ସହ ଭତ୍ତା ମିଳିବ । ୪ ବର୍ଷ ପରେ ସେଥିମଧ୍ୟରୁ ୨୫ ପ୍ରତିଶତଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳିବ । ବାକି ୭୫ ପ୍ରତିଶତଙ୍କୁ ପ୍ୟାକେଜ ସହ ସେବା ନିବୃତ କରାଯିବ କିନ୍ତୁ ପେନସନ ମିଳିବନି । ନିଯୁକ୍ତି ପାଇଥିବା ଅଗ୍ନିବୀରଙ୍କ ରାଙ୍କ ମଧ୍ୟ ସ୍ୱତନ୍ତ୍ର ରହିବ । ଅଫିସରଙ୍କ ତଳେ ବ୍ୟାଙ୍କ ରହିବା ସହ ଇନସିଗ୍ନିଆ ମଧ୍ୟ ସ୍ୱତନ୍ତ୍ର ରହିବ ବୋଲି ଜଣାପଡ଼ିଛି ।