ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ପୌରାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି । ସନ୍ଧ୍ୟାରେ ସ୍ଥାନୀୟ ସେଣ୍ଟର ଫର କଲଚର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସପି ରାଜକିଶୋର ପାଇକରାୟ, ସମ୍ମାନିତ ଅତିଥିଭାବେ ଜିଲ୍ଲା ବରିଷ୍ଠ ନାଗରିକ ଫୋରମ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସମ୍ପାଦକ ରାମଚନ୍ଦ୍ର ମହାପାତ୍ର, ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଡିଆଇବି ଡିଏସପି ପ୍ରଦୀପ କେରକେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସହରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଣ ଓ ଡିଜେ ସାଉଣ୍ଡର ପ୍ରଚଳନକୁ ରୋକିବା ନେଇ ଆଲୋଚନା ହୋଇଥିଲା । ସେହିପରି ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କୁ ସାମାଜିକ ଓ ସ୍ୱାସ୍ଥ୍ୟଗତ ସୁରକ୍ଷା ସହ ସରକାରୀ କାର୍ଯ୍ୟାଳୟ ହେଉ କି ଅନୁଷ୍ଠାନ ବିଭିନ୍ନସ୍ତରରେ ବରିଷ୍ଠ ନାଗରିକଙ୍କ ସମ୍ମାନର ସୁରକ୍ଷା ପାଇଁ ଦାବୀ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ଫୋରମ ପକ୍ଷରୁ ବରିଷ୍ଠ ନାଗରିକଙ୍କ ବୈଠକ ଓ ଆଲୋଚନା ପାଇଁ ଏକ କୋଠାର ଆବଶ୍ୟକତା ଥିବା ନେଇ ଦାବୀ କରାଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ପୌରାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ପାଇକରାୟ ପ୍ରକାଶ କରିଛନ୍ତି । ଜିଲ୍ଲା ପୁଲିସର ଏହି ଉଦ୍ୟମକୁ ବରିଷ୍ଠ ନାଗରିକ ଫୋରମ ପକ୍ଷରୁ ସ୍ୱାଗତ କରାଯାଇଛି ।