ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଆଜି ସକାଳ ୧୧ଟାରେ ଗଡ଼ଭିତରସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ କେନ୍ଦ୍ର ସରକାରଙ୍କ ୮ ବର୍ଷ ଶାସନ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ମହିଳା ସଶକ୍ତିକରଣ ଦିଗରେ ମୋଦୀ ସରକାରଙ୍କ ପଦକ୍ଷେପ ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଦଳକୁ ତୃଣମୂଳସ୍ତରରେ ସଂଗଠିତ କରିବା ପାଇଁ ମହିଳାଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଏକ ରାଜନୈତିକ ଚିଠା ପ୍ରସ୍ତୁତ କରାଯାଇଥିଲା । ଏଥିରେ ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ମଦ, ମାଂସ ଏବଂ ଟଙ୍କା ଦେଇ ନିର୍ବାଚନ ଜିତିବାର କଳା ଶିଖିଥିବା ସରକାର ବୋଲି କହୁଯାଇଛି । ବିଭିନ୍ନ କେନ୍ଦ୍ର ଯୋଜନାକୁ ନିଜ ସରକାରଙ୍କ ଯୋଜନା ଭାବରେ ଦର୍ଶାଇ ନବୀନ ସରକାର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ବିଜେଡି ଅପରାଧିମାନଙ୍କ ଦଳ ହୋଇଥିବା ଦର୍ଶାଇ ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉନଥିବା କୁହାଯାଇଛି । ପରୀ, ମାଧବୀଲତା, କନକଲତା, ମମିତା ଏବଂ ଆହୁରି ଅନେକଙ୍କ ଆତ୍ମା ଅଶାନ୍ତ ହୋଇ ଘୁରି ବୁଲୁଥିବା ଦର୍ଶାଯାଇଥିବା ସହ ଏହି ସରକାରକୁ ଅପାରଗ ଘୋଷଣା କରାଯାଇ ବହିଷ୍କାର କରାଯିବା ଆବଶ୍ୟକ ବୋଲି ଉକ୍ତ ଚିଠାରେ ଦର୍ଶାଯାଇଛି । ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ, ପାଟଣା ରାଜକୁମାରୀ ନିବୃତି କୁମାରୀ ମେୱାର, ଶୈଳବାଳା ବାଗ, ଆରତୀ ଗୁରୁଙ୍କ ସମେତ ବହୁ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ନଗର ପଦାଧିକାରୀ ଉପସ୍ଥିତ ଥିଲେ ।