ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଅନାହାର ମୃତ୍ୟୁ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କ ଅନାହାରରେ ମୃତ୍ୟୁ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ୫ ତାରିଖରେ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଜଣେ ବ୍ୟକ୍ତି ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିବା ଦେଖି ସ୍ଥାନୀୟ କିଛି ସ୍ୱେଛାସେବୀ ତାଙ୍କୁ ଉଦ୍ଧାର କରିବା ସହ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖାଦ୍ୟ ଅଭାବରୁ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଉଦ୍ଧାର କରାଯାଇଥିବା ଏହି ବ୍ୟକ୍ତି ଜଣକ ନିଜ ପରିଚୟ ସଠିକ ଭାବରେ ପ୍ରକାଶ କରିପାରୁ ନଥିବାବେଳେ ପ୍ରଥମେ ତାଙ୍କୁ ଅଂଶୁଘାତ ହୋଇଥିବା ସନ୍ଦେହରେ ଡାକ୍ତରଖାନା କର୍ତୃପକ୍ଷ ଅଂଶୁଘାତ କକ୍ଷର ୩ନଂ ଶଯ୍ୟାରେ ରଖି ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ ତାରିଖ ସକାଳ ୬ଟା ୩୦ ମିନିଟରେ ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ଗତ ୭ ତାରିଖରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପରିଚୟ ଅଭାବରୁ ପୁଲିସକୁ ଖବର ଦେବା ସହ ତାଙ୍କ ଶବକୁ ଡାକ୍ତରଖାନା କର୍ତୃପକ୍ଷ ନିୟମ ଅନୁଯାୟୀ ୯୦ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ ।
ସୂଚନାଯୋଗ୍ୟ, ଏହି ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଗୋଟିଏ ମାତ୍ର ଶବ ସଂରକ୍ଷଣ ଫ୍ରିଜର ରହିଛି ଓ ସେଥିରେ ନିୟମିତ ଶବ ରହୁଥିବାରୁ ଏପରି ଘଟଣା ଘଟିଲେ ଶବକୁ ସଂରକ୍ଷିତ ରଖିବା କର୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି । ଖବର ପାଇବା ପରେ ଟିଟିଲାଗଡ଼ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ମୃତ ବ୍ୟକ୍ତିଙ୍କ ପରିଚୟ ପାଇବାରେ ସକ୍ଷମ ହୋଇଛି । ମୃତକ ଜଣକ ନୂଆପଡ଼ା ଜିଲ୍ଲା ରାଜଖରିଆର ନିବାସୀ ଆଲୋକ ବୈଠାରୁଙ୍କ ପୁତ୍ର ଲକ୍ଷ୍ମୀ ପ୍ରଶାନ୍ତ ବୈଠାରୁ (୪୦ )ବର୍ଷ ବୋଲି ଜଣାପଡ଼ିଛି । ତେବେ ମୃତକଙ୍କ ପରିଚୟ ମିଳିବା ପରେ ପରିବାର ସଦସ୍ୟ ଆସି ଆଜି ଶବ ନେଇଥିବାବେଳେ ଉକ୍ତ ବ୍ୟକ୍ତି ଙ୍କ ମୃତ୍ୟୁର ପ୍ରକୃତ କାରଣ ଅନାହାର ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଛି । ତେବେ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବାବେଳେ ଅନାହାର ମୃତ୍ୟୁ ସରକାରୀ ଯୋଜନା ବାସ୍ତବରେ କେତେ ଫଳପ୍ରଦ ତାହା ପଦାରେ ପକାଇଛି ।