ଦେବଗଡ଼,ଏନ୍ଏନ୍ଏସ୍: ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ସମିତି ଦେବଗଡ଼-ପାଲଲହଡ଼ା ପକ୍ଷରୁ ଆଜି ୧୧ ଦଫା ଦାବୀପୂରଣ ନେଇ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସମିତି ଅଧ୍ୟକ୍ଷ ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ଶତାଧିକ ବିସ୍ଥାପିତ ପରିବାର ସ୍ଥାନୀୟ ଗୋପାଳ ଜୀ ମନ୍ଦିର ପରିସରରୁ ବିଭିନ୍ନ ସ୍ଲୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନର୍ଦ୍ଦିର୍ିଷ୍ଟ କାଳ ପାଇଁ ଗଣଧାରଣାରେ ବସିଥିଲେ । ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ସମିତି ପକ୍ଷରୁ କୋର୍ଟରେ ମାମଲା ହୋଇନଥିବା ବୁଡ଼ି ଜମିର ଏକର ପିଛା ୫୦ ହଜାର ଟଙ୍କା ଅନୁକମ୍ପା ମୂଳକ କ୍ଷତି ପୂରଣ ପ୍ରଦାନ, ଦେବଗଡ଼ ଜୋନ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନିଯୁକ୍ତି, ଆଂଶିକ ବୁଡ଼ି ଗ୍ରାମକୁ ସମ୍ପୂର୍ଣ ବୁଡ଼ି ଗ୍ରାମ ଘୋଷଣା, ପୁନଃବସତି ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା, ସ୍ଥାୟୀ ଜମିପଟ୍ଟା ପ୍ରଦାନ, ନୂତନ ପରିବାର ଗଣନା, ପ୍ରତ୍ୟେକ ବୁଡ଼ି ପରିବାରକୁ ଅସ୍ଥାୟୀ ବାସଗୃହ ବାବଦକୁ ୨୫ ହଜାର ଟଙ୍କା, ବାସଚ୍ୟୁତ ପରିବାର ଚିହ୍ନଟ ଓ ଥଇଥାନ ପୂର୍ବକ ନିଯୁକ୍ତି ପ୍ରଦାନ ଆଦି ଦାବୀ ରହିଛି । ପୂର୍ବରୁ ଦାବୀ ପୂରଣ ପାଇଁ ସରକାରଙ୍କୁ ବାସଚ୍ୟୁତ ସମିତି ପକ୍ଷରୁ ସମୟ ପ୍ରଦାନ କରାଯାଇଥିବାବେଳେ ଦାବୀ ପୂରଣ ନହେବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ ଗଣ ଧାରଣା ଆରମ୍ଭ କରାଯାଇଛି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ପର୍ଶୁରାମ ବେହେରା, କିଶୋର ଚନ୍ଦ୍ର ସାମଲ, ପ୍ରହ୍ଲାଦ ଚନ୍ଦ୍ର ଗଡ଼ନାୟକ, ନିରଞ୍ଜନ ବେହେରା, ପ୍ରମୋଦ ଚନ୍ଦ୍ର ଭୁକ୍ତା, ଦିବ୍ୟଶଙ୍କର ଦ୍ୱିବେଦୀ, ସମ୍ପାଦକ ଚୌଧୁରୀ ବେହେରା, ଉପଦେଷ୍ଟା ରଞ୍ଜନ କୁମାର ସାହୁ, ସହସମ୍ପାଦକ ବେଣୁଧର ସାହୁ ଓ ଗୌରହରି ପାଣିଙ୍କ ସମେତ ଶତାଧିକ ବିସ୍ଥାପିତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।