ବାରଣାସୀ ସିରିଜ ବିସ୍ଫୋରଣ ମାମଲାରେ ଦୋଷୀକୁ ଫାଶି

ବାରଣାସୀ: ବାରଣାସୀରେ ୧୬ ବର୍ଷ ପୂର୍ବରୁ ହୋଇଥିବା ସିରିଜ ବିସ୍ଫୋରଣ ମାମଲାର ଦୋଷୀକୁ ଗାଜିଆବାଦ କୋର୍ଟ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ଆତଙ୍କବାଦୀ ବଲୀଓଲ୍ଲା ଖାନକୁ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରାଯାଇଛି । ଫଇସଲା ଶୁଣାଣୀ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ମିଡିଆକୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । ଅଦାଲତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଡଗ୍ ସ୍କ୍ୱାଡ ସମୟ ସମୟରେ ଅଦାଲତ ପରିସରରେ ତଲାଶି ଜାରି ରଖିଥିଲେ ।

୨୦୦୬ ମାର୍ଚ୍ଚ ୭ରେ ପ୍ରଥମେ ସଙ୍କଟମୋଚନ ମନ୍ଦିରରେ ବିସ୍ଫୋରଣ ହୋଇଥିଲା । ଏହାର ୧୫ ମିନିଟ ପରେ କ୍ୟାଣ୍ଟେନମେଣ୍ଟ ରେଳ ଷ୍ଟେସନରେ ବିସ୍ଫୋରଣ ହୋଇଥିଲା ଏବଂ ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା । ୨ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ଅତି କମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ, ବିସ୍ଫୋରଣ ପରେ କୌଣସି ଓକିଲ ଦୋଷୀ ବଲୀଓଲ୍ଲାର ପାଇଁ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ପରେ ଇଲହାବାଦ ହାଇକୋର୍ଟର ଆଦେଶରେ ମାମଲାଟିକୁ ଗାଜିଆବାଦ ସ୍ଥାନାନ୍ତର କରାଯାଇଥିଲା । ୩ଟି ବିସ୍ଫୋରଣରେ ୫ଜଣ ଆତଙ୍କବାଦୀ ସାମିଲ ଥିବା ନେଇ ପୁଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ମୌଲାନା ଜୁବେରକୁ ସୁରକ୍ଷାବଳ ସୀମାରେ ହିଁ ମାରି ଦେଇଥିଲା ।