ପାଟଣାଗଡ଼,ଏନ୍ଏନ୍ଏସ୍: ସ୍ଥାନୀୟ ଅବକାରୀ ବିଭାଗ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୫ ଲିଟର ଦେଶୀ ରନ୍ଧା ମଦ ଏବଂ ୭ କ୍ୱିଣ୍ଟାଲ ମହୁଲ ପୋଚ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମେଘ ମେହେର(୪୦) ଓ କୃଷ୍ଣ ବରିହା(୩୦) । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ମିଳିଥିବା, ରିପୋର୍ଟ ମୁତାବକ, ଗ୍ରାମାଞ୍ଚଳରେ ବହୁଳ ପରିମାଣରେ ଦେଶୀ ମଦ ରନ୍ଧା ଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ସହ ନିରୀକ୍ଷକ ବିଶ୍ୱନାଥ ପରିଡ଼ା ସଦଳବଳେ ବ୍ଲକ ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରେ ଚଢ଼ଉ ଆରମ୍ଭ କରିଥିଲେ । ଉକ୍ତ ଗ୍ରାମର ମେଘ ମେହେରଙ୍କଠାରୁ ୭ କ୍ୱିଣ୍ଟାଲ ମହୁଲ ପୋଚ ଏବଂ ୧୫ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲେ । ପରେ ଅଏଁଲାତୁଙ୍ଗା ଗ୍ରାମରେ ଚଢ଼ଉ ଆରମ୍ଭ କରିଥିଲେ । ସେଠାରେ କୃଷ୍ଣ ବରିହା ନାମକ ଜନୈକ ଯୁବକଙ୍କ ନିକଟରୁ ୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ତାକୁ ମଧ୍ୟ ଗିରଫ କରିଥିଲେ ।