ପିଡ଼ିଏସ ଚାଉଳ ଚୋରା ଚାଲାଣ ସନ୍ଦେହରେ ମିନିଟ୍ରକ ଅଟକ ଘଟଣା: ଯୋଗାଣ ବିଭାଗର କ୍ଲିନ୍‌ଚିଟ୍‌ ପରେ ଗାଡି ଛାଡିଲ ପୁଲିସ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ପଞ୍ଚାୟତ ଅଞ୍ଚଳରୁ ମିନି ଟ୍ରକ ଯୋଗେ ୪୨ ବସ୍ତା ପିଡ଼ିଏସ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହରେ ପୁଲିସ ଗତକାଲି ସନ୍ଧ୍ୟାରେ ଗାଡି ନମ୍ବର (ଓଆର-୦୩ଜି-୩୯୫୧) କୁ ଥାନାକୁ ଆଣି ଅଟକ ରଖିଥିଲା। ଆଜି ସଇଁନ୍ତଲା ବ୍ଲକ୍‌ ଯୋଗାଣ ଅଧିକାରୀ ପ୍ରଭାତ ଦାସ ପୁଲିସ ଜବତ କରିଥିବା ଚାଉଳ ପିଡ଼ିଏସ୍‌ ନୁହେଁ ବୋଲି କ୍ଲିନ୍‌ଚିଟ୍‌ ଦେବାରୁ ପୁଲିସ ଗାଡି ସହ ଚାଉଳକୁ ଛାଡି ଦେଇଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଇଁନ୍ତଲା ବ୍ଲକର ଆମ୍ବପାଲି, ଡୁଙ୍ଗୁରିପାଲି, କଅସର ଓ କରମତଲା ଅଞ୍ଚଳରୁ ବହୁ ବେକାର ଯୁବକ ଯୁବତୀ କାମ ଧନ୍ଦା ଅନ୍ବେଷଣରେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଉଛନ୍ତି। ମାସ ମାସ ଧରି ଅଞ୍ଚଳରେ ଅନୁପସ୍ଥିତ ରହୁଥିବା ଯୋଗୁଁ ସେମାନଙ୍କ ଚାଉଳ ପଞ୍ଚାୟତରେ କିଛି ଦୁର୍ନୀତି ଗ୍ରସ୍ତ କର୍ମକର୍ତ୍ତା ଦଲାଲଙ୍କ ଜରିଆରେ ତୁଷୁରା ଅଞ୍ଚଳକୁ ପ୍ରତ୍ୟେକ ମାସ ମିନି ଟ୍ରକ ଯୋଗେ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା। ସେହିଭଳି ବର୍ତ୍ତମାନ ପଞ୍ଚାୟତରେ ମିଳୁଥିବା ପିଡ଼ିଏସ ଚାଉଳ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ହିତାଧିକାରୀମାନେ ସମ୍ପୃକ୍ତ ଦଲାଲମାନଙ୍କୁ କେଜି ପ୍ରତି ୧୫ ଟଙ୍କାରୁ କମ୍‌ ଦରରେ ବିକ୍ରି କରୁଛନ୍ତି। ଏହିଭଳି ଭାବରେ ଆଦାୟ ଚାଉଳକୁ ମଧ୍ୟ ଦଲାଲ ମାନେ ପ୍ରତ୍ୟେକ ମାସ ତୁଷୁରା ଅଞ୍ଚଳର କିଛି ନିର୍ଦ୍ଦିଷ୍ଟ ଚୋରା ବେପାରୀଙ୍କୁ ମିନିଟ୍ରକ ଜରିଆରେ ପଠାଉଥିବା ଅଭିଯୋଗ ହୋଇଆସୁଥିଲା।

ଏଭଳି ଭାବେ ଗଚ୍ଛିତ ଥିବା ୪୨ ବସ୍ତାରେ ପ୍ରାୟ ୩୦ କୁଇଣ୍ଟାଲ ଚାଉଳ ତୁଷୁରା ଅଞ୍ଚଳରୁ ଗତକାଲି ସନ୍ଧ୍ୟାରେ ଚୋରା ଚାଲାଣ ହେଉଥିବା ସଇଁନ୍ତଲା ପୁଲିସ ଖବର ପାଇ ଡୁଙ୍ଗୁରିପାଲି ପଞ୍ଚାୟତ ବାଦୀପଡା ଗ୍ରାମରୁ ଚାଉଳ ବୋଝେଇ ମିନିଟ୍ରକକୁ ସଇଁନ୍ତଲା ପୁଲିସ ଥାନାକୁ ଆଣି ଅଟକ ରଖିଥିଲା। ଆଜି ସଇଁନ୍ତଲା ଯୋଗାଣ ଅଧିକାରୀ ପ୍ରଭାତ ଦାସ ଥାନାରେ ପହଞ୍ଚି ଚାଉଳକୁ ଓଜନ କିମ୍ବା ମାନ ପରୀକ୍ଷା କରିନଥିଲେ। ହାତରେ ଦେଖି ପିଡ଼ିଏସ ଚାଉଳ ନୁହେଁ ବୋଲି ପ୍ରକାଶ କରିଥିଲେ। ସରକାର ଙ୍କ ଗାଇଡ଼ଲାଇନ ଅନୁସାରେ ଚାଉଳ ବସ୍ତା ପିଡ଼ିଏସ ବସ୍ତା ହୋଇନ ଥିବାରୁ ଏହା ପିଡ଼ିଏସ ଚାଉଳ ନୁହେଁ ବୋଲି ପୁଲିସକୁ ଲିଖିତ ଭାବରେ ଜଣାଇଥିଲେ। ଯୋଗାଣ ଅଧିକାରୀଙ୍କ ଏଭଳି ଆଚାରଣ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ତୁଷୁରା ସମଲେଶ୍ବରୀ ମନ୍ଦିର ରୋଡରେ ଥିବା ମିରାଶିଷ ଟ୍ରେଡିଂରୁ ଗୀତା ଟ୍ରେଡିଂ ଉକ୍ତ ଚାଉଳ କିଣି ଡୁଙ୍ଗୁରିପାଲି ପଞ୍ଚାୟତ ଟୁର୍ଚ୍ଚାଉପରେ ଗ୍ରାମର ନରହରି ସାହୁଙ୍କୁ ୨୨ କୁଇଣ୍ଟାଲ ଓ କୂତାର୍ଥ ସାହୁଙ୍କୁ ୮ କୁଇଣ୍ଟାଲ ଚାଉଳ ବିକ୍ରି କରିଥିବା ଦୁଇଟି ବିଲ ଥାନାରେ ଦେଖାଇଛି। ଆଣିଥିବା ଦୁଇଟି ବିଲର ଜିଏସ୍‌ଟି ଟଙ୍କା ପୈଠ ସମ୍ପର୍କରେ ତଦନ୍ତ କରାଗଲେ ବିଲ୍‌ ଗୁଡ଼ିକ କେତେ ଠିକ୍‌ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯୋଗାଣ ବିଭାଗ କ୍ଲିନ୍‌ ଚିଟ୍‌ ଦେବାପରେ ପୁଲିସ ଅଟକ ରଖିଥିବା ଚାଉଳ ସହ ମିନିଟ୍ରକକୁ ଛାଡି ଦେଇଥିବା ଜଣାଯାଏ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛିଦିନ ତଳେ କରମତଲା ପଞ୍ଚାୟତ ଅଞ୍ଚଳରୁ ପିଡ଼ିଏସ୍‌ ଚାଉଳ ସଂଗ୍ରହ କରି ଚୋରା ଚାଲାଣ କରୁଥିବା ମିନିଟ୍ରକକୁ ପୁଲିସ ଜବତ କରିଥିଲା। ଯୋଗାଣ ବିଭାଗର ବିଳମ୍ବିତ କାର୍ଯ୍ୟନୁଷ୍ଠାନ ଯୋଗୁଁ ସମ୍ପୃକ୍ତ ମିନିଟ୍ରକର ମାଲିକ ବଲାଙ୍ଗୀର ସହରର ଏକ ନିର୍ଦ୍ଦିଷ୍ଟ ଚାଉଳ ଦୋକାନରୁ ବିଲ ହାତେଇ ଘଟଣାକୁ ରଫାଦଫା କରି ଦେଇଥିଲେ।

ଜିଲ୍ଲା ପ୍ରଶାସନ ଏହି ପିଡ଼ିଏସ୍‌ ଚୋରା ଚାଲାଣ ବେପାରର ରାକେଟ୍‌ ଉପରେ ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ତେବେ ବିଭାଗୀୟ ଅଧିକାରୀ ଓ ଦଲାଲ ମାନଙ୍କ ଭିତିରିଆ ଡିଲ୍‌ କରି ଘଟଣାକୁ ରଫାଦଫା କରିଦେଇ ଥିବା ଆଲୋଚନା ହୋଇଛି। ବାରମ୍ବାର ଯୋଗାଣ ବିଭାଗର ମିଳିତରେ ଏହି ଅଞ୍ଚଳରେ ଜୋରଦାର ଚାଉଳ କଳା ବଜାରୀ ହେଉଥିବା ଅଭିଯୋଗ ହୋଇଛି।