ଚାକିରି କରିବାକୁ ଯାଇ ପ୍ରବାସରୁ ଫେରିଲା ମୃତ ଦେହ, ୬ ଦିନ ପରେ ବ୍ୟବଚ୍ଛେଦ ହେଲା ମୃତ ଶରୀର

ପ୍ରବାସରେ ରହୁଥିବା ଓଡ଼ିଆ ସାମ୍ବାଦିକ, ସମାଜସେବୀ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଫେରିଲା ମୃତ ଦେହ

ବେଙ୍ଗାଲୁରୁ/ଭୁବନେଶ୍ବର,ଏଜେନ୍ସି: ଦୀର୍ଘ ୬ ଦିନ ବ୍ୟବଧାନ ପରେ ବ୍ୟବଚ୍ଛେଦ ନହୋଇ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲରେ ପଡିରହିଥିବା ଜଣେ ଗରିବ ଓଡ଼ିଆ ଝିଅର ମୃତ ଶରୀର ଶେଷରେ ଓଡ଼ିଆ ସମ୍ବାଦିକ, ପ୍ରବାସୀ ଓଡ଼ିଆ ସମାଜସେବୀ ଓ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ପରେ ବ୍ୟବଚ୍ଛେଦ ହୋଇ ନିଜ ଗ୍ରାମରେ ପହଞ୍ଚିଲା। ସୂଚନା ଯେ କେନ୍ଦୁଝର ଜିଲା ବଂଶପଲ ତୋଟାଦିହ ଗ୍ରାମର ଦଶରଥ ଗଡ଼ମାଝୀଙ୍କ ୨୨ ବର୍ଷୀୟ ଝିଅ କୁନ୍ତଳା ଗତ କିଛିଦିନ ହେବ ଚାକିରି ଆଶାରେ ବେଙ୍ଗାଲୁରୁ ଆସିଥିଲେ। ବେଙ୍ଗାଲୁରୁରେ କେନ୍ଦୁଝରର ଅନ୍ୟ ଏକ ମହିଳା ସହ ଭେଟ ହୋଇଥିଲା। ପରେ କୁନ୍ତଳା ଉକ୍ତ ମହିଳା ଏକ ଗାର୍ମେଣ୍ଟ କମ୍ପାନୀରେ ଚାକିରି କରିଥିଲେ। ହେଲେ ମାତ୍ର ଗୋଟେ ସପ୍ତାହ ଚାକିରିରେ କର୍ଯ୍ୟ କରିବା ଭିତରେ ସେ ବହୁତ ଅସୁସ୍ଥ ହୋଇଗଲେ। ଉକ୍ତ ମହିଳା କହିବା ଅନୁଯାୟୀ କୁନ୍ତଳାଙ୍କ ଦେହ ଆଗରୁ ଖରାପ ଥିଲା। ପୂର୍ବରୁ ଚେନ୍ନାଇରେ କାର୍ଯ୍ୟ କରୁଥିବା ବେଳେ ଶରୀର ଅସୁସ୍ଥ ହେବ ପରେ ଘରକୁ ପଳାଇ ଥିଲେ। ହେଲେ ପୁଣି ଏକ ବାନ୍ଧବୀ ସହ ବେଙ୍ଗାଳୁରୁ ଆସିଥିଲେ ଏବଂ ସେଠାରେ ସେ ଚାକିରି ଆରମ୍ଭ କରିଥିଲେ।

ଗତ ୨୨ ତାରିଖ କୁନ୍ତଳା ରୁମ୍‌ରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇଗଲେ। ସଙ୍ଗେ ସଙ୍ଗେ ବାନ୍ଧବୀ ତାଙ୍କ ସ୍ୱାମୀ ଜ୍ୟୋତି ସିଂକୁ ଖବର ଦେଇଥିଲେ। ଜ୍ୟୋତି ସିଂ ଆସିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଦୁଃଖର ବିଷୟ ଆମ୍ବୁଲାନ୍ସ ଆସିବା ପୂର୍ବରୁ କୁନ୍ତଳା ପ୍ରାଣ ହରାଇଥିଲେ। ପରେ ଆମ୍ବୁଲାନ୍ସ ଆସିବା ପରେ ପୁଲିସକୁ ଖବର ଦେଇଥିଲେ ଏବଂ ପୁଲିସ ପହଞ୍ଚି ମୃତ ଶରୀରକୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏପଟେ କୁନ୍ତଳାଙ୍କ ପରିବାର କେହି ବେଙ୍ଗାଲୁରୁରେ ନଥିବାରୁ ପୁଲିସ ଘରଲୋକଙ୍କୁ ଖବର ଦେଇଥିଲେ। ଘର ଲୋକେ ବହୁ ଗରିବ ଥିବାରୁ ବେଙ୍ଗାଲୁରୁ ଆସିବା କଷ୍ଟକର ହୋଇପଡିଥିଲା। ଝିଅର ମୃତ ଶରୀର ଗ୍ରାମକୁ ଆଣିବା ପାଇଁ ଘର ଲୋକେ ସ୍ଥାନୀୟ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କ ସହଯୋଗରେ ଜିଲ୍ଲା ପ୍ରସଶନର ସାହାଯ୍ୟ ଲୋଡିଥିଲେ।

ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗକୁ ଏ ସମ୍ପର୍କରେ ଜଣାଇଥିଲେ। ଏହିଭଳି ୫ ଦିନ ବିତିଯାଇଥିଲେ ବି କୁନ୍ତଳାଙ୍କ ମୃତ ଶରୀର ବ୍ୟବଚ୍ଛେଦ ହୋଇପାରିନଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ବେଙ୍ଗାଳୁରୁରେ ଥିବା ଓଡ଼ିଆ ସମ୍ବାଦିକ ଗୋବିନ୍ଦ ବାରିକ ଖବର ବିଷୟରେ ଫୋନ ଯୋଗେ ବରିଷ୍ଠ ସମ୍ବାଦିକ ଭକ୍ତ ତ୍ରିପାଠୀଙ୍କ ପାଖରୁ ଜାଣିବାପରେ ସଙ୍ଗେ ସଙ୍ଗେ ପୁଲିସ ଷ୍ଟେସନରେ ପହଞ୍ଚି ଖବର ବିଷୟରେ ଜାଣିବା ସହ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ। ପରେ ପ୍ରବାସୀ ଓଡ଼ିଆ ସମାଜସେବୀ ମନୋଜ ପାତ୍ରଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ମୃତ ଶରୀର ଓଡ଼ିଶା ପଠାଇବା ପାଇଁ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେବା ପରେ ଓଡ଼ିଆ ସମ୍ବାଦିକ କାର୍ଯ୍ୟ ଆଗକୁ ନେଇଥିଲେ। ପରେ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଇବା ସହ ଫ୍ଲାଇଟ ଯୋଗେ ଓଡ଼ିଶା ପଠାଯାଇଛି।

ପୁଲିସ ଷ୍ଟେସନରେ କାଗଜପତ୍ର ରେଡି ଓ ପର ଦିନ ମେଡିକାଲରେ ଅର୍ଥାତ ଦୁଇ ଦିନ ଧରି ଓଡ଼ିଆ ସମ୍ବାଦିକଙ୍କୁ ଓଡ଼ିଆ ସମାଜସେବୀ ପ୍ରଭୂ ଦତ୍ତ ବଳ, ଅଜିତ ପଣ୍ଡା, ଅଭୟ ବାରିକ ସହ କୁନ୍ତଳାଙ୍କ ରୁମ୍‌ମେଟ୍‌ ଜ୍ୟୋତି ସିଂ ଓ ତାଙ୍କ ପତ୍ନୀ ଏୟାର ପୋର୍ଟ ପଠାଇବା ଯାଏ ସହଯୋଗ କରିଥିଲେ। ଏଥି ସହିତ କିଭଳି କମ୍‌ ଅର୍ଥରେ ଏୟାର ପୋର୍ଟ ଯୋଗେ ମୃତ ଶରୀରକୁ ଓଡ଼ିଶା ପଠାଯିବ ସେନେଇ ଗତକାଲି ସକାଳେ ଓଡ଼ିଆ ସମ୍ବାଦିକ ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ସମାଜସେବୀ ସଞ୍ଜୀବ କୁମାର ଦାଶଙ୍କୁ ସାହାଯ୍ୟ ଓ ସହଯୋଗ ମାଗିବା ପରେ ସେ ମେଡିକାଲରେ ଉପସ୍ଥିତ ରହିବା ସହ ସମସ୍ତ ସହଯୋଗ କରିଥିଲେ। ତେବେ ଶେଷରେ ସମସ୍ତଙ୍କ ସହଯୋଗ ଓ ସାହାଯ୍ୟ ଯୋଗୁଁ ୬ ଦିନ ପରେ ଓଡ଼ିଆ ଝିଅର ମୃତ ଦେହ ନିଜ ଗ୍ରାମକୁ ପହଞ୍ଚି ପାରିଛି। ତେବେ ପରିବାର ଲୋକେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।