୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ

କଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଜାରି ରଖିଛି ଭାରତ। ତେବେ ଏହାରି ଭିତରେ ଗତକାଲି(ଶନିବାର) ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି ଭାରତ। ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ ୫୦ କୋଟି ଡଲାର ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ଡିଜେଲ ଦେଇ ସାହାଯ୍ୟର ହାତ ବଢାଇଛି। ଏନେଇ ଭାରତର ହାଇ କମିଶନ ପକ୍ଷରୁ ଗତକାଲି(ଶନିବାର) ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

ଏହା ଛଡା ଚାଉଳ, ଔଷଧ ଏବଂ ମିଲ୍କ ପାଉଡର ଭଳି ଅତ୍ୟାବଶକିୟ ସହାୟତା ନେଇ ମଧ୍ୟ ଏକ ଜାହାଜ ଆଜି(ରବିବାର )ଶ୍ରୀଲଙ୍କା ପହଞ୍ଚୁଥିବା ମଧ୍ୟ କହିଛନ୍ତି ଭାରତର ହାଇ କମିଶନ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ରିଲିଫ ସାମଗ୍ରୀ ବୋଝେଇ ପୋତକୁ ବୁଧବାର ପତାକା ଦେଖାଇ ଚେନ୍ନାଇରୁ ଶ୍ରୀଲଙ୍କା ପଠାଇଥିଲେ।

ଶ୍ରୀଲଙ୍କାକୁ ୯ ହଜାର ମେଟ୍ରିକ ଚନ ଚାଉଳ, ୨ଶହ ମେଟ୍ରିକ ଟନ ମିଲ୍କ ପାଉଡର ଓ ୨୪ ମେଟ୍ରିକ ଟନ ଔଷଧ ପଠାଯାଇଛି। ଏହି ମୋଟ ରିଲିଫର ପରିମାଣ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହାସହ ସଙ୍କଟ ଆରମ୍ଭ ହେବାର ପ୍ରାରମ୍ଭିକ ସମୟରୁ ଭାରତ ୧୨ଟି ସିପମେଟରେ ପ୍ରାୟ ୪ ଲକ୍ଷ ମେଟ୍ରିକ ଟନ ଇନ୍ଧନ ପଠାଇଛି। ପୂର୍ବରୁ ମଧ୍ୟ ଭାରତ ଚିକିତ୍ସା ସାମଗ୍ରୀ, ଖାଦ୍ୟ ଶସ୍ୟ ଓ ଇନ୍ଧନ ଆଦି ପର୍ଯ୍ୟାୟକ୍ରମେ ପଠାଯାଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା।