ସିନାପାଲି ସହରରେ ଗୁଳିକାଣ୍ଡ: ବାପ-ପୁଅ ଗୁରୁତର

ନୂଆପଡା,ଏନ୍‌ଏନ୍‌ଏସ୍‌: ନୂଆପଡା ଜିଲ୍ଲା ସିନାପାଲି ସହର ସ୍ଥିତ ରାବଣ ଛକ ଠାରେ ଦିନ ୧୧ଟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ବାପା ଓ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏନେଇ ପରିବାର ତରଫରୁ ନରସିଂହ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଶନିବାର ଦିନ ପ୍ରାୟ ୧୧ ଘଟିକା ସମୟରେ ସିନାପାଲି ସ୍ଥିତ ରାବଣ ଛକ ଠାରେ ଜନୈକ ଘଟଣାକୁ କେନ୍ଦ୍ର କରି ଉଭୟ ପକ୍ଷରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ଧାରଣ କରି ଗୁଳିକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ବାପା ସରୋଜ ମେହେର ଓରଫ ନୁନ୍ ମେହେର(୫୦) ଓ ପୁଅ ନବରଂଜନ ମେହେର(୩୦)ଙ୍କ ଜଙ୍ଘରେ ଗୁଳି ବାଜିଥିବାରୁ ସେମାନେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଘଟଣା ପରେ ସେମାନଙ୍କୁ ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଖଡିଆଳ ମିସନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଗୁଳିକାଣ୍ଡ ଘଟାଇ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ବେଲେ ଓଡିଶା ରାଜ୍ୟ ଓ ଛତିଶଗଡ଼ ସୀମାରେ ଉଭୟ ସିନାପାଲି ପୁଲିସ ଓ ଛତିଶଗଡ଼ ପୁଲିସ ମିଲିତ ଉଦ୍ୟମରେ ଚଢଉ କରି ଅଭିଯୁକ୍ତ ରାଜା ପାଣିଗ୍ରାହୀଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତ ଫେରାର୍ ହେଉଥିବା ଜାଣିପାରି ସିନାପାଲି ପୁଲିସ ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ଦେଭୋଗ ପୁଲିସକୁ ଖବର ଦେବାପରେ ରାସ୍ତାରେ ଛକି ବସିଥିବା ବେଲେ ରାଜାକୁ ଗିରଫ କରିବାରେ ସଫଳ ହୋଇଛି। ସିନାପାଲି ଥାନାରେ କେସ୍‌ ନମ୍ୱର ୧୨୫/୨୨, ଦଫା ୩୪୧/୨୯୪/୩୨୩/୩୨୫/୩୦୭/୫୦୬/୨୫/୨୭ରେ ମାମଲା ରୁଜୁ କରି ସିନାପାଲି ପୁଲିସ ଅଭିଯୁକ୍ତ ରାଜା ପାଣିଗ୍ରାହୀକୁ ଗିରଫ କରିଛି। ଏଥିସହିତ ତାଠାରୁ ୪ଟି ଜୀବନ୍ତ ଗୁଳି, ୨ଟି ମାଗାଜିନ୍, ମାଉଜର, ଘଟଣାସ୍ଥାନରୁ ୨ଟି ଗୁଳି ଖୋକା, ସମେତ ଚାରି ଚକିଆ ଗାଡି ଓଡି-୨୬ଡି-୯୧୨୩ ପୁଲିସ ଜବତ କରିଛି।

ଏହି ଘଟଣାକୁ ନେଇ ସିନାପାଲି ଥାନାରେ ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ୱାଦିକ ସମ୍ମିଳନୀକରି ଘଟଣାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନାରେ ଅଭିଯୁକ୍ତକୁ ଗିରଫ କରି ଅଟକ ରଖିଥିବା ବେଳେ ଦେଭୋଗ ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।