ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ୮୨୦ କୋଟିର ସରକାରୀ ସହାୟତା

ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(IPPB) ପାଇଁ ୮୨୦ କୋଟିର ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର। ଏହି ବ୍ୟାଙ୍କ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳ ରାଶିକୁ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ସରକାର ଏଥିପାଇଁ ଅତିରିକ୍ତ ୮୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି।

ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୫ କୋଟିରୁ ଅଧିକ ଆକାଉଣ୍ଟ ରହିଛି। ଏହା ୧.୩୬ ଲକ୍ଷ ଶାଖା ସାହାଯ୍ୟରେ ପରିଚାଳିତ ହେଉଛି। ପାଖାପାଖି ୪୮ ପ୍ରତିଶତ ମହିଳା ଏଥିରେ ଆକାଉଣ୍ଟ ଖୋଲିଛନ୍ତି। ସରକାରଙ୍କ ସାମାଜିକ ଲକ୍ଷ୍ୟ ପୂରଣ ଦିଗରେ IPPB ବଳିଷ୍ଠ ଭୂମିକା ତୁଲାଉଛି। IPPBକୁ ଆର୍ଥିକ ସହାୟତା ମିଳିବା ପରେ ବିଶେଷକରି ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସରକାରଙ୍କ କାର୍ଯ୍ୟସୂଚୀଙ୍କୁ ଆଗକୁ ବଢାଇବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି।