ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳର ବିରାଟ ଶୋଭାଯାତ୍ରା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ବଜରଙ୍ଗ ଦଳ ତରଫରୁ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜା କରି ପ୍ରଥମେ ରଥ ଟଣାଖଳାରେ ଏକତ୍ରିତ ହୋଇ ସେଠାରୁ ଭଗବାନ ରାମଙ୍କୁ ଏକ ଭବ୍ୟ ରଥରେ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ବଲାଙ୍ଗିର ସଂସାଦ ସଂଗୀତା ସିଂଦେଓ ନିଜେ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ରାଜ ଖମାର ସମ୍ମୁଖରେ ଥଣ୍ଡା ପାନୀୟ ଦ୍ରବ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । ଯାତ୍ରାରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ନିଜକୁ ସାମିଲ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବାରୁ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଉତ୍ସାହିତ ହୋଇଥିଲେ । ଏହି ଶୋଭାଯାତ୍ରାରେ ବିଧାୟକ ଖଣ୍ଡା ଧରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାରେ ସହରର ଉଭୟ ପଟେ ଶତାଧିକ ଜନସଧାରଣ ଉପସ୍ଥିତ ରହିଥଲେ । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପରେ ସମସ୍ତଙ୍କ ପାଇଁ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।