ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲୀ କେନ୍ଦ୍ର ପରିଦର୍ଶନ
ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ କରିବାକୁ ପରାମର୍ଶ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ବିଶ୍ଵ ଐତିହ୍ୟ କୋଣାର୍କ-ପୁରୀ ମେରାଇନ୍ ଡ୍ରାଇଭରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍ ଏବଂ ଲାଇଫ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର (ୱାସଲୀ)ଯାଇ ସେଠାରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ରାମଚଣ୍ଡୀ ପୀଠର କୁଶଭଦ୍ରା ନଦୀକୂଳରେ ୨୦୧୫ ମସିହାରେ ସ୍ଥାପିତ ଏହି ପ୍ରଶିକ୍ଷଣ କେନ୍ଦ୍ର ତା’ର କାର୍ଯ୍ୟଧାରା ଲାଗି ସମଗ୍ର ଦେଶରେ ସୁନାମ ଅର୍ଜନ କରିପାରିଛି। ଏଠାରେ ବ୍ୟାଚ୍ଓ୍ବାରୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ହୋଇ ଆସୁଥିବା ଆଗ୍ନିକମାନଙ୍କୁ ଭୂତଳ ଜଳସମୂହରେ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ୱାଟରମ୍ୟାନସିପ୍, ସନ୍ତରଣ, ବୋଚାଳନା, ସ୍କୁବା ଡାଇଭିଂ, ଜଳ ବିତ୍ପାତରୁ ଉଦ୍ଧାର କରିବା କୌଶଳ ପ୍ରଭୃତି ସହ ଏ କ୍ଷେତ୍ରରେ ଉପଯୋଗ ହେଉଥିବା ସର୍ବାଧୁନିକ ଯନ୍ତ୍ରପାତିର ବ୍ୟବହାର ଉପରେ ଉଚ୍ଚସ୍ତରୀୟ ତାଲିମ୍ ପ୍ରଦାନ କରାଯାଇ ଆସୁଅଛି। ବିଗତ ଦିନଗୁଡ଼ିକରେ ଦେଶରେ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶା ଫାୟାର ଟିମ୍ ଯେଉଁ ଦକ୍ଷତା, ସାହସ ଓ ସେବା ପ୍ରଦର୍ଶନ କରିଛନ୍ତି ସେଥିରେ ରାଜ୍ୟ ସରକାର ଅନେକ ପ୍ରଶଂସା ସାଉଁଟିଛନ୍ତି। ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ଗଭୀର ଆସ୍ଥା ପ୍ରକଟ କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ନାଗାଲାଣ୍ଡ ରାଜ୍ୟର ଅଗ୍ନିଶମ କର୍ମଚାରୀମାନଙ୍କୁ ତାଙ୍କ ସରକାର ଏଠାରେ ପ୍ରଶିକ୍ଷଣ ନେବାକୁ ପ୍ରେରଣ କରୁଥିବା ଏହି କେନ୍ଦ୍ରର ସଫଳତା ବୟାନ କରେ।

ଏତଦ୍ବ୍ୟତୀତ ଓଡ଼ିଶା ପୁଲିସ୍ ଅଧୀନରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀର ସ୍ଵେଚ୍ଛାସେବୀମାନଙ୍କୁ ମଧ୍ୟ ଅନୁରୂପ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପ୍ରତି ବ୍ୟାଚ୍ରେ ୬୦ ଜଣ ହିସାବରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ୫୦୨୬ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ସମୀକ୍ଷାବେଳେ ଜଣାପଡ଼ିଛି। ତେବେ ସଂପ୍ରତି ବଙ୍ଗୋପସାଗର ତଟରି ଏକ ଅନୁପମ ପ୍ରାକୃତିକ ପରିବେଶରେ ଅସ୍ଥାୟୀ ଟେଣ୍ଟ୍ରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। ଏହାର ସ୍ଥାୟୀ ଅନ୍ତଃକରଣର ବିକାଶ ପାଇଁ ରାଜ୍ୟ ସରକାର ଗତବର୍ଷ ୨ କୋଟି ୭୩ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ୧୦୦ ସିଟ୍ ବିଶିଷ୍ଟ ବ୍ୟାରାକ୍ ଓ ପ୍ରଶାସନିକ ଅଟ୍ଟାଳିକା ଯଥାଶୀଘ୍ର ନିର୍ମାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ଉକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ପାଇଁ ପୁରୀ ଜିଲ୍ଲାପାଳ ୨ ଏକର ଜମି ଯୋଗାଇ ଦେଇଥିବାବେଳେ ଅତିରିକ୍ତ ଆଉ ୨ ଏକରର ଆବଶ୍ୟକତା ରହିଥିବା ଦର୍ଶାଇ ଏ ସଂକ୍ରାନ୍ତରେ ଗୋପ ତହସିଲଦାରଙ୍କ ନିକଟରେ ନିବେଦନ କରାଯାଇଛି ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଜଣାଇଥିଲେ।
