କଲମ୍ବୋ,ଏଜେନ୍ସି: ବିପର୍ଯ୍ୟସ୍ତ ଅର୍ଥନୀତିକୁ କେନ୍ଦ୍ରକରି ବିଗତ କିଛିଦିନ ଧରି ଶ୍ରୀଲଙ୍କାରେ ଲାଗିରହିଥିବା ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ। ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟର ସବୁ ୨୬ ମନ୍ତ୍ରୀ ଇସ୍ତଫା ଦେଇସାରିଥିବାବେଳେ ବିକଳ୍ପ ସରକାରରେ ସାମିଲ ହେବା ପ୍ରସ୍ତାବକୁ ବିରୋଧୀ ଦଳଗୁଡିକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମଙ୍ଗଳବାର କ୍ଷମତାସୀନ ମେଣ୍ଟରୁ ୪୧ ଜଣ ସାଂସଦ ଓହରିଯିବା ଫଳରେ ରାଜପକ୍ଷେଙ୍କ ସରକାର (ଶ୍ରୀଲଙ୍କା ପିପୁଲ୍ସ ଫ୍ରିଡମ ଆଲାଏନ୍ସ) ବର୍ତ୍ତମାନ ସଂଖ୍ୟାଲଘୁରେ ପରିଣତ ହୋଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ‘ଶ୍ରୀଲଙ୍କା ଫ୍ରିଡମ ପାର୍ଟି’ର ନେତା ମୈତ୍ରିପାଲା ସିରିସେନା କହିଛନ୍ତି।
ଗତ ନିର୍ବାଚନରେ ସଂସଦର ମୋଟ ୨୨୫ ଆସନ ମଧ୍ୟରୁ ମେଣ୍ଟ ସରକାର ୧୪୫ ଆସନ ହାସଲ କରି କ୍ଷମତା ଅକ୍ତିଆର କରିଥିଲା। ବର୍ତ୍ତମାନ ୪୧ ସାଂସଦ ଇସ୍ତଫା ଦେବାଫଳରେ ସରକାରଙ୍କ ପାଇଁ ଆସ୍ଥାଭୋଟ ଲୋଡିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ଦେଶରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥା ହଟାଇବାକୁ ବିରୋଧୀ ଦଳର ନେତା ସଜିଥ୍ ପ୍ରେମଦାସା ଦାବି କରିଛନ୍ତି। ସଂଖ୍ୟାଲଘୁରେ ପରିଣତ ହେବାପରେ ଗୋତବାୟା ରାଷ୍ଟ୍ରପତି ପଦରୁ ତୁରନ୍ତ ଇସ୍ତଫା ଦେବାକୁ ଦାବି ହେଉଥିବାବେଳେ ଗୋତବାୟା କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମଙ୍ଗଳବାର ପ୍ରବଳ ବର୍ଷା ସତ୍ତ୍ୱେ ଶତାଧିକ ଛାତ୍ର ଓ ଆଇନଜୀବୀ ଏକ ଶୋଭାଯାତ୍ରାରେ ବାହାରି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି।
ବିକ୍ଷୋଭକାରୀଙ୍କ ମଧ୍ୟରେ କେତେକ ସେନା ପୋଷାକ ପିନ୍ଧିଥିବାରୁ ପୁଲିସ ଏହାର ସତ୍ୟତା ଯାଞ୍ଚ କରୁଛି। ଦେଶରେ ବର୍ତ୍ତମାନ ଜୀବନ ରକ୍ଷାକାରୀ ଔଷଧପତ୍ରର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ରାଷ୍ଟ୍ରପତି ‘ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି’ ଘୋଷଣା କରିଛନ୍ତି। ସରକାର ଇତିମଧ୍ୟରେ କଲମ୍ବୋସ୍ଥିତ ଅଷ୍ଟ୍ରେଲିଆ, ନରୱେ ଓ ଇରାକ୍ ଦୂତାବାସକୁ ସାମୟିକ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇପାରୁନାହାନ୍ତି। ଜନ ଅସନ୍ତୋଷ ତୀବ୍ର ହେବାରୁ ରାଷ୍ଟ୍ରପତି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିସାରିଛନ୍ତି। ପୁଲିସ ଇତିମଧ୍ୟରେ ଏକ ହଜାରରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରିସାରିଛି।