ବଲାଙ୍ଗିର,ଏନ୍ଏନ୍ଏସ୍: ସ୍ଥାନୀୟ କଳା ମଣ୍ଡପ ପଡିଆ ଠାରେ ଦୁଇ ଦିନ ଧରି ୧୯ ତମ ସିନିୟର ବଡିବିଲଡିଂ ଚମ୍ପିୟାନସିପ୍ ( ମିଷ୍ଟର ଓଡିଶା-୨୦୨୨) ଉଦ୍ଯାପିତ ହୋଇଯାଇଛି। ୧୪ଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବଡିବିଲଡିଂ ସହ ଉଭୟ ପୁରୁଷ ଓ ମହିଳା ବର୍ଗରେ ଫିଜିକ୍ ଫିଟନେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ଆମେଚର ବଡିବିଲିଡିଂ ଦ୍ୱାରା ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବଲାଙ୍ଗିରର ରାମଚନ୍ଦ୍ର ଖର୍ସେଲ ୬୫ କେଜି ବର୍ଗରେ ରୌପ୍ୟ ପଦକ, ପ୍ରଶାନ୍ତ ଦାଶ ୭୦ କେଜି ବର୍ଗରେ ସ୍ୱର୍ଣ୍ଣ ଓ ସଂଗ୍ରାମ ମୁଣ୍ଡା ୮୦ କେଜି ବର୍ଗରେ କାଂସ୍ୟ ପଦକ ଅର୍ଜନ କରିଛନ୍ତି। ଅଧ୍ୟକ୍ଷ ଅମରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସମ୍ପାଦକ ସଞ୍ଜୟ ଶତପଥିଙ୍କ ଆବାହକତ୍ୱରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ ଅତିଥି ରୂପେ ଯୋଗଦେଇଥିଲେ।
ଏହି କ୍ରିଡା ସମାରୋହକୁ ଆୟୋଜକ କମିଟିର ଉପ-ସଭାପତି ସମରେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ରୁପକ ବରାଳ, ବିଡିଜିଏ ହେଲ୍ଥ କ୍ଲବ ସମ୍ପାଦକ ସଂଗ୍ରାମ ବହିଦାର, ପ୍ରମୋଦ ରଥ, ସନ୍ତକ ବହିଦାର, ଅନିଲ ନାଏକ, ଜିତେନ୍ଦ୍ର ନାଗ, ଶୁଭମ୍ ଦର୍ଜୀ ଓ ବିଙ୍ଗଷ୍ଟ୍ରଙ୍ଗ ଫିଟନେସର ସମସ୍ତ ସଭ୍ୟ ସୁରୁଖୁରୁରେ ପରିଚାଳନା କରିଥିଲେ।