୨୨ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍‌: ପାକିସ୍ତାନର ୪, ଭାରତର ୧୮

ନୂଆଦିଲ୍ଲୀ,ଏଜେନ୍ସି: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ରଦ୍ଦ କରାଯାଇଛି। ଭାରତର ଜାତୀୟ ସୁରକ୍ଷା, ବିଦେଶ ନୀତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏହି ଚ୍ୟାନେଲଗୁଡିକ ବିଭ୍ରାକ୍ତିକର ସମ୍ବାଦ ପରିବେଷଣ କରୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ରଦ୍ଦ କରାଯାଇଥିବା ୨୨ଟି ଚ୍ୟାନେଲ ମଧ୍ୟରେ ପାକିସ୍ତାନର ୪ଟି ଓ ଭାରତର ୧୮ଟି ଚ୍ୟାନେଲ ରହିଛି। ଏହାବ୍ୟତୀତ ଆପତ୍ତିଜନକ କାର୍ଯ୍ୟକଳାପ ଅଭିଯୋଗରେ ୩ଟି ଟ୍ୱିଟର ଓ ଗୋଟିଏ ଫେସ୍‌ବୁକ୍ ଆକାଉଣ୍ଟ ସମେତ ଗୋଟିଏ ନ୍ୟୁଜ୍ ୱେବ୍‌ସାଇଟ୍‌କୁ ମଧ୍ୟ ବ୍ଲକ୍ କରାଯାଇଛି। ପାକିସ୍ତାନରେ ସକ୍ରିୟ ଥିବା ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମିଥ୍ୟା ସମ୍ବାଦ ପରିବେଷଣ କରୁଥିବାବେଳେ ଭାରତୀୟ ଚ୍ୟାନେଲଗୁଡିକ ରୁଷ୍‌-ୟୁକ୍ରେନ୍ ଯୁଦ୍ଧରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଛି। ୨୦୨୧ ଡିସେମ୍ବରରେ ଅନୁରୂପ କାରଣରୁ ମନ୍ତ୍ରଣାଳୟ ପକ୍ଷରୁ ୭୮ଟି ୟୁଟ୍ୟୁବ୍ ଚ୍ୟାନେଲକୁ ରଦ୍ଦ କରାଯାଇଥିଲା।