ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ହାଇଡ୍ରୋଜେନ ନିର୍ମାଣ ପାଇଁ ନିବେଶ କରିବେ ୩ କମ୍ପାନୀ। ଦେଶର ସର୍ବବୃହତ ଅଏଲ ରିଫାଇନାରୀ ଇଣ୍ଡିଆନ୍ ଅଏଲ୍ ସହିତ ହାତ ମିଶାଇଛନ୍ତି ଏଲ୍ ଆଣ୍ଡ୍ ଟି ଏବଂ ଗୋଲ୍ଡମ୍ୟାନ୍ ସାଚସର ରିନିଉ ପାୱାର। ଭାରତ ପକ୍ଷରୁ ଅଙ୍ଗାରକାମ୍ଲ ଉତ୍ସକୁ କମ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି କମ୍ପାନିଗୁଡିକ ଲକ୍ଷ୍ୟ ହାସଲ ଦିଗରେ କାମ କରିବେ। ଏନେଇ ଏକ ଏମଓୟୁ ମଧ୍ୟ ସ୍ୱାକ୍ଷର ହୋଇଛି। ମିଳିତ ଭାବରେ ହାଇଡ୍ରୋଜେନ୍ ଉତ୍ପାଦନ ପାଇଁ ପ୍ରୟାସ କରାଯିବ ବୋଲି ୩ କମ୍ପାନୀ ପକ୍ଷରୁ କୁହାଯାଇଛି।
ବାର୍ଷିକ ୫ ମିଲିୟନ୍ ଟନର ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ଭାରତ ଏହି ଲକ୍ଷ୍ୟ ହାସଲର ଟାର୍ଗେଟ ରଖିଛି। ଏହା ସହିତ ୨୦୩୦ ସୁଦ୍ଧା ଦେଶ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନରେ ଆତ୍ମନିର୍ଭର ହେବା ସହିତ ବିଦେଶକୁ ରପ୍ତାନୀ କରିବାର ଲକ୍ଷ୍ୟ ରଖଛି। ଆଇଓସିର ମଥୁରା ଏବଂ ପାନିପତରେ ରହିଥିବା ପ୍ଲାଣ୍ଟରେ ପ୍ରଥମେ ଏହି ପ୍ଲାଣ୍ଟ ଆରମ୍ଭ କରାଯିବ। ଏହାର ପ୍ରଦର୍ଶନକୁ ଲକ୍ଷ୍ୟ କରାଯିବା ପରେ ଦେଶର ଅନ୍ୟ ପ୍ରାନ୍ତରେ ନୂଆ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଆଇଓସି ଚେୟାରମ୍ୟାନ ଏସ ଏମ ବୈଦ୍ୟନାଥ ପ୍ରକାଶ କରିଛନ୍ତି।