ପାଟଣାଗଡ଼,ଏନ୍ଏନ୍ଏସ୍: ବେଆଇନ ଗୋଚାଲାଣକାରୀ ଦଳକୁ ଧରିବାରେ ବଜରଙ୍ଗ ଦଳର କର୍ମୀଙ୍କୁ ସଫଳତା ମିଳିଛି। ଏହାସହ ୨ଟି ପିକଅପ ଗାଡ଼ିରେ ବୋଝେଇ ହୋଇ ଯାଉଥିବା ୯ ଗୋରୁଙ୍କୁ ମଧ୍ୟ ସେମାନେ ଉଦ୍ଧାର କରିଛନ୍ତି । ଅନ୍ୟପଟେ ୩ଟି ଗୋରୁ ବୋଝେଇ ପିକଅପ୍ ଫେରାର ମାରିବାରେ ସକ୍ଷମ ହୋଇଥିବା ବଜରଙ୍ଗ ଦଳ ସୂତ୍ରରୁ ପ୍ରକାଶ ପାଇଛି ।
ମିଳିଥିବା ରିପୋର୍ଟ ମୁତାବକ, ବଲାଙ୍ଗିର ବଜରଙ୍ଗ ଦଳର ଟାଉନ ସହ-ସଂଯୋଜକ ହରି ବାଗ ନିଜର ୨ଜଣ ବନ୍ଧୁ ଅଭିନବ ବେହେରା ଏବଂ ରାମ ଶଙ୍କର ସେଠଙ୍କ ସହ କଣ୍ଟାବାଞ୍ଜୀ ଯାଉଥିଲେ । ପାଟଣାଗଡ଼-କଣ୍ଟାବାଞ୍ଜୀ ରାସ୍ତାର ଗଙ୍ଗାସାଗର ନିକଟରେ ଉକ୍ତ ଗୋରୁ ବୋଝେଇ ପିକଅପ୍ ଦ୍ରୁତ ଗତିରେ ପାଟଣାଗଡ଼ ପଟକୁ ଆସୁଥିବା ଦେଖି ସେମାନଙ୍କ ପିଛା କରିଥିଲେ । ତେବେ ପାଟଣାଗଡ଼-ଘସିଏନ ରାସ୍ତାର ବରପଦର ନିକଟସ୍ଥ ପୋଲ ଉପରେ ସେମାନଙ୍କୁ ଅଟକାଇବାରେ ସମର୍ଥ ହୋଇଥିଲେ ମଧ୍ୟ ୩ଟି ଗାଡ଼ି ସେଠାରୁ ଫେରାର ହୋଇଯାଇଥିଲା । ଅଟକାଇଥିବା ୨ଟି ଗାଡ଼ିରେ ୯ଟି ଗୋରୁଙ୍କୁ ଅତ୍ୟନ୍ତ ଅମାନବୀୟ ଭାବରେ ରଖାଯାଇଥିବା ଦେଖିବା ପରେ ସେମାନେ ପାଟଣାଗଡ଼ ପୁଲିସକୁ ଖବର ଦେଇଥିଲେ । ପୁଲିସ ଉକ୍ତ ଗାଡ଼ିଙ୍କୁ ଥାନାକୁ ଆଣିଥିଲେ । ଏ ସଂକ୍ରାନ୍ତରେ ପୁଲିସ ଉଭୟ ଗାଡ଼ିର ଚାଳକ ବିଶ୍ୱନାଥ ଦୀପ(୨୨) ଏବଂ ହେମନ୍ତ ବରିହା(୩୦)ଙ୍କୁ ଅଟକ ରଖିବା ସହ ଗୋ ତଷ୍କର କୁହାଯାଉଥିବା ରମେଶ ପଟେଲ(୪୦)କୁ ମଧ୍ୟ ଅଟକ ରଖିଛି । ପ୍ରାଥମିକ ତଦନ୍ତରୁ ଉଭୟ ଗାଡ଼ିର ଚାଳକଙ୍କ ବୈଧ ଲାଇସେନ୍ସ ସହ ଗାଡ଼ି ଗୁଡ଼ିକର କାଗଜ ପତ୍ର ମଧ୍ୟ ନ ଥିବା ପ୍ରାରମ୍ଭିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଗାଡ଼ି ଗୁଡ଼ିକୁ ଅଟକାଇବା ବେଳେ ଫେରାର ମାରିଥିବା ଏକ ଗାଡ଼ି ବଜରଙ୍ଗ ଦଳ କର୍ମୀଙ୍କୁ ଚପାଇ ଦେଇ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ଧରା ପଡ଼ିଥିବା ଚାଲାଣକାରୀ ରମେଶ ପଟେଲ ଏବଂ ଫେରାର ମାରିଥିବା ଅନ୍ୟ ୨ଜଣଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜରଙ୍ଗ ଦଳ, ବଲାଙ୍ଗିର ଏବଂ ପାଟଣାଗଡ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି ।