ନୂଆଦିଲ୍ଲୀ,ଏଜେନ୍ସି: ମହିଳା ଦିନିକିଆ ବିଶ୍ୱକପରେ ଇଂଲଣ୍ଡ ଟିମ୍ ଭାରତୀୟ ଟିମ୍କୁ ଚାରି ୱିକେଟ୍ରେ ପରାଜିତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୩୬.୨ ଓଭରରେ ୧୩୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଟିମ୍ ୩୧.୨ ଓଭରରେ ୬ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା।
ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ର ଏହା ଦ୍ୱିତୀୟ ପରାଜୟ। ପୁର୍ବରୁ ନିଉଜିଲାଣ୍ଡ ଟିମ୍ ଭାରତକୁ ପରାସ୍ତ କରିଥିଲା। ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ଚାରୋଟି ମୁକାବିଲା ଖେଳି ସାରିଥିବା ବେଳେ ଦୁଇଟିରେ ବିଜୟ ହାସଲ କରିଛି । ସେହିଭଳି ଇଂଲଣ୍ଡ ଟିମ୍ର ଏହା ପ୍ରଥମ ବିଜୟ। ଦଳ ୪ଟି ମ୍ୟାଚ୍ ଖେଳିଥିବା ବେଳେ ପ୍ରଥମ ତିନୋଟି ମ୍ୟାଚ୍ ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଏହି ପରାଜୟ ସହିତ ଭାରତୀୟ ଟିମ୍ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡଠାରୁ ହାରିବା ପରେ ଭାରତୀୟ ଟିମ୍ ପାଇଁ ସେମିଫାଇନାଲର ରାସ୍ତା କଠିନ ହୋଇଯାଇଛି। କିନ୍ତୁ ଏବେ ମଧ୍ୟ ଭାରତୀୟ ଟିମ୍ ସେମିଫାଇନାଲରେ ପହଁଞ୍ଚିପାରେ। ଆଗାମୀ ତିନି ମ୍ୟାଚ୍ରେ ଭାରତୀୟ ଟିମ୍ ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆପ୍ରିକାକୁ ଭେଟିବ। ବାଂଲାଦେଶ ବିିପକ୍ଷରେ ଭାରତୀୟ ଟିମ୍ ସହଜ ବିଜୟ କରିପାରେ କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜୟ ଥିବା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆପ୍ରିକାକୁ ହରାଇବା ସହଜ ହେବ ନାହିଁ।
ମହିଳା ବିଶ୍ୱକପ୍ ପଏଣ୍ଟ ଟେବୁଲରେ କ୍ରମାଗତ ଚାରିଟି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ସ୍ଥାନରେ ରହିଛି। କଙ୍ଗାରୁ ଦଳର ଆଠ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ପାଖରେ ୬ ପଏଣ୍ଟ ରହିଛି। ଆଫ୍ରିକା କ୍ରମାଗତ ତିନିଟି ମ୍ୟାଚ୍ ଜିତିଛି। ୪ଟି ମ୍ୟାଚରୁ ଦୁଇଟି ବିଜୟ ସହ ଭାରତ, ନ୍ୟୁଜିଲ୍ୟାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଅଛନ୍ତି। ଏହି ତିନୋଟି ଦଳ ନିକଟରେ ଚାରୋଟି ପଏଣ୍ଟ ଅଛି, କିନ୍ତୁ ଭାରତର ରନ୍ ହାର ଦୃଷ୍ଟିରୁ ତୃତୀୟ ସ୍ଥାନରେ ରହିଛି। ଏହି ପାଞ୍ଚଟି ଦଳ ସେମିଫାଇନାଲରେ ପହଞ୍ଚିବା ପାଇଁ ଦୃଢ ପ୍ରତିଯୋଗୀ ଅଟନ୍ତି।
ଲିଗ୍ ମ୍ୟାଚ୍ ସମାପ୍ତ ହେବା ପରେ ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିଟି ସ୍ଥାନ ସେମିଫାଇନାଲ ଖେଳିବ। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହାଁନ୍ତି ଏବଂ ଉଭୟ ସେମିଫାଇନାଲ ଖେଳିବା ନିଶ୍ଚିତ। ଅନ୍ୟପକ୍ଷରେ, ଅବଶିଷ୍ଟ ଦୁଇଟି ସ୍ଥାନ ପାଇଁ ଭାରତ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ।