ଜାପାନରେ ଭୟଙ୍କର ଭୂକମ୍ପ ପରେ ସୁନାମି ସତର୍କତା, ୨୦ ଲକ୍ଷ ଘର ଅନ୍ଧାର

ଟୋକିଓ,ଏଜେନ୍ସି: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ। ଆଜି (ବୁଧବାର) ଜାପାନର ରାଜଧାନୀ ଟୋକିଓ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୩ ରହିଥିବା ରେକର୍ଡ କରାଯାଇଛି। ଭୂକମ୍ପ ତୀବ୍ରତା ଅଧିକ ଥିବାରୁ ରାଜଧାନୀ ଟୋକିଓର ଉତ୍ତର-ପୂର୍ବ ଉପକୂଳର କିଛି ସ୍ଥାନ ପାଇଁ ସୁନାମି ସତର୍କତା ଜାରି କରାଯାଇଛି। ଏହା ସହିତ ଟୋକିଓର ଉତ୍ତରପୂର୍ବ ଅଞ୍ଚଳର ପ୍ରାୟ ୨୦ ଲକ୍ଷ ଘର ଅନ୍ଧାରରେ ରହିଛି।

ମିଳିଥିବା ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିବାବେଳେ ଏହା ସମୁଦ୍ର ମଧ୍ୟରେ ପ୍ରାୟ ୬୦ କି.ମି ଗଭୀରତାରେ ସୃଷ୍ଟି ହୋଇଛି। ବର୍ତ୍ତମାନ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।

ସେହିପରି ଲଦାଖରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ତେବେ ଆଶ୍ବସ୍ତିର କଥା ଯେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନଥିବା ସ୍ଥାନୀୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।