ବିଏମସି ହସ୍ପିଟାଲକୁ ଅଚାନକ ଗସ୍ତକଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଏମସି ହସ୍ପିଟାଲକୁ ଅଚାନକ ଗସ୍ତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଗୁରୁବାର ପୁରୁଣା ଭୁବନେଶ୍ୱରସ୍ଥିତ ବିଏମସି ହସ୍ପିଟାଲକୁ ଯାଇ ସେଠିକାର ସ୍ଥିତି ପରିଦର୍ଶନ କରିଥିଲେ। ଏହାସହିତ ହସ୍ପିଟାଲ ଭିତରେ ରୋଗୀ ସେବା କିପରି ଚାଲିଛି ଓ ହସ୍ପିଟାଲ ଅବସ୍ଥା କିପରି ରହିଛି, ତାହା ଉପରେ ଟିକନିକ୍ ଅନୁଧ୍ୟାନ କରିଥିଲେ। ପ୍ରଥମେ ମନ୍ତ୍ରୀ ଶ୍ରୀ ଜେନା ହସ୍ପିଟାଲର ବର୍ହିଃ ବିଭାଗ ପ୍ରରିଦର୍ଶନ କରିଥିଲେ। ଏହି ବିଭାଗରେ ରୋଗୀଙ୍କ ବେଡ୍ ପାଖକୁ ଯାଇ ଚିକିତ୍ସା ସମ୍ବନ୍ଧରେ ତଦାରଖ କରିଥିଲେ।

ରୋଗୀ ସେବା କ୍ଷେତ୍ରରେ ସରକାର ଯୋଗାଉଥିବା ସମସ୍ତ ଯୋଜନାଗୁଡ଼ିକ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଠିକ୍ ଭାବରେ ଯୋଗାଉଛନ୍ତି କି ନାହିଁ ତାହା ଉପରେ ରୋଗୀଙ୍କୁ ମନ୍ତ୍ରୀ ଶ୍ରୀ ଜେନା ପଚାରି ବୁଝିଥିଲେ। ରୋଗୀ ଯେପରି କୌଣସି ସେବା ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷମାନେ ସର୍ବୋତ୍ତମ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ।

ସେହିପରି ବହୁ ଦିନ ଧରି ହସ୍ପିଟାଲକୁ ନିମୟିତ ଭାବରେ ଡାକ୍ତର ଆସୁନାହାନ୍ତି। ଯେଉଁମାନେ ବି ଆସିଛନ୍ତି ଠିକ୍ ସମୟରେ ଆସୁନାହାନ୍ତି। ହସ୍ପିଟାଲରେ ବର୍ତ୍ତମାନ ଅଲଟ୍ରା ସାଉଣ୍ଡ, ଅତି ଜରୁରୀ ରୋଗୀ ନିଦାନ ସେବା ବନ୍ଦ ରହିଛି। ଏହାସହିତ ହସ୍ପିଟାଲ ପାଚେରି ଭାଙ୍ଗି ଯାଇଥିବା ବେଳେ ଦୀର୍ଘଦିନ ହେବ ଏମିତି ପଡ଼ି ରହିଛି। ଏହିଭଳି ଭାବେ ବିଭିନ୍ନ ସମସ୍ୟା ମଧ୍ୟ ମନ୍ତ୍ରୀ ଶ୍ରୀ ଜେନାଙ୍କ ଆଗରେ ଲୋକମାନେ ବଖାଣିଥିଲେ।

ଏହି ପରିଦର୍ଶନ ସମୟରେ ବିଏମ୍ସି ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ, ଡାକ୍ତର ଗଣେଷ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ମନ୍ତ୍ରୀଙ୍କ ଏହି ଗସ୍ତ ପରେ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ପ୍ରତିଦିନ ବିଏମ୍ସି ହସ୍ପିଟାଲକୁ ପ୍ରାୟ ୧ ହଜାର ରୋଗୀ ଆସୁଛନ୍ତି। ତେବେ ସେମାନଙ୍କ ପାଇଁ କିଛି ପରିମାଣରେ ଡାକ୍ତର ଅଭାବ ସମସ୍ୟା ରହିଛି। ତେବେ ସବୁ ରୋଗୀଙ୍କୁ ଠିକ୍ ଭାବେ ସେବା କରାଯିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି।

ଅନ୍ୟପକ୍ଷରେ ସବୁ ଡାକ୍ତରଙ୍କୁ ଠିିକ୍ ସମୟରେ ଆସିବା ପାଇଁ ସେ ମେଡିକାଲ ଅଫିସରଙ୍କୁ କହିଛନ୍ତି। ତେବେ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ସବୁ ଡାକ୍ତରଖାନାକୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବା ନେଇ ଚିନ୍ତା କରାଯାଉଛ। ଯାହାଦ୍ୱାରା ଡାକ୍ତରଖାନା ଠିକ୍ ଭାବରେ ପରିଚାଳିତ ହେବା ସହ ଲୋକମାନେ ଉନ୍ନତ ଚିକିତ୍ସା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।