ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗ୍ରାହକ ବେଶରେ ଏକ ବାଘ ଛାଲ ଜବତ କରିବା ସହ ୩ଜଣ ତସ୍କରଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରିଆମାଳ ଥାନା ଆନ୍ତର୍ଗତ ଜଡ଼ାଗୋଳା ଗ୍ରାମର ପତି ବେହେରା, କାଇଁସର ଗ୍ରାମର ଟିକେଇ ବେହେରା ଓ ରାଜନ ନାୟକ । ସେମାନଙ୍କ ନିକଟରୁ ବାଘ ଛାଲ ସହ ଏକ ଭୁଜାଲୀ ଓ ମୋବାଇଲ ଫୋନ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ସଦଳବଳେ ଗ୍ରାହକ ବେଶରେ ବାଘ ଛାଲ କିଣିବାକୁ ଯାଇଥିଲେ । ସେଠାରେ ବାଘ ଛାଲ ବିକ୍ରି କରିବାକୁ ଆସିଥିବା ୩ ବନ୍ୟଜନ୍ତୁ ତସ୍କରଙ୍କୁ ପୁଲିସ କାବୁ କରିଥିଲା । ଏନେଇ ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବିଡିଏସପି ପ୍ରଦୀପ କୁମାର କେରକେଟା, ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ରିଆମାଳ ଥାନାଧିକାରୀ ଲଳିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।