ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପୌର ପରିଷଦର ୧୫ଟି ୱାର୍ଡ ପାଇଁ ହେବାକୁ ଥିବା ନିର୍ବାଚନ ଲାଗି ପାଟଣାଗଡ଼ରେ ରାଜନୀତି ସରଗରମ ହୋଇଉଠିଛି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୨ଜଣ କାଉନସିଲର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସେହିପରି ଅଧ୍ୟକ୍ଷ ପଦବୀ ପାଇଁ ବିଜେପିରୁ ବୁଡୁ ଶବର, ବିଜେଡିରୁ ମାନସୀ ବିଶ୍ୱାଳ ଓ କଂଗ୍ରେସରୁ ନୀଲମଣୀ ଭୁଏ ପ୍ରାର୍ଥୀ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେବୀକ ରାଜ ହଂସ ଓ ଡମ୍ବରୁ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେପି ପକ୍ଷରୁ ପ୍ରଥମେ ସ୍ଥାନୀୟ ରାଜଖମାର ଥିବା ମା’ ଦଶମତୀ ମନ୍ଦିରରେ ଏକତ୍ରିତ ହୋଇ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବର, ପୂର୍ବତନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ, ତାଙ୍କ ଝିଅ ତଥା ମେୱାର ବୋହୁ ନିବୃତି ଦେବୀଙ୍କୁ ଦର୍ଶନ କରି ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଏନଏସି କାର୍ଯ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ସମୟରେ ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି, ଓମ୍ ପ୍ରକଶ ଯୋଶୀ, ସୁନା ଯୋଶୀ, ରମାନାଥ ହୋତା, ମୁନା ଦରୁଆନ, ପୂର୍ବତନ ଏନଏସି ଅଧ୍ୟକ୍ଷା ମାନସମଞ୍ଜରୀ ପାଣିଗ୍ରାହୀଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀଙ୍କ ସହ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ । ଅନ୍ୟପଟେ ବିଜେପି ପକ୍ଷରୁ ୩ନଂ ୱାର୍ଡ ପାଇଁ ମୋହନ ମେହେର ଓ ୯ନଂ ୱାର୍ଡ ଲାଗି ପ୍ରମୋଦ ସାହୁ କାଉନସିଲର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ନିଳମଣୀ ଭୁଏ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।