୨ୟ ଦିନିକିଆ ଆଜି, ୱେଷ୍ଟଇଣ୍ଡିଜ୍‌କୁ ହରାଇ ଶୃଙ୍ଖଳା ଜିତିବା ଲକ୍ଷ୍ୟ ରଖିବ ଭାରତ

ଅହମଦାବାଦ୍‌,ଏଜେନ୍ସି: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ଖେଳାଯିବ। ଗୁଜରାଟର ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଅପରାହ୍ନ ୧ଟା ୩୦ରେ ଏହି ମୁକାବିଲା ହେବ। ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ବିଜୟୀ ହୋଇଛି। ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଥିବା ଘରୋଇ ଦଳ ଆଜିର ମ୍ୟାଚ ଜିତି ୨-୦ରେ ବଢ଼ିବା ପାଇଁ ଉଦ୍ୟମ କରିବ। ଅନ୍ୟପଟରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା ୧-୧ ସ୍ତରକୁ ଆଣିବା ପାଇଁ ମଧ୍ୟ ଉଦ୍ୟମ କରିବ।

ଗତ ୬ ତାରିଖ ଦିନ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ସଫଳତାପୂର୍ବକ ପ୍ରଦର୍ଶନ କରିଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୪୩.୫ ଓଭରରେ ସମସ୍ତ ୱିକେଟ ହରାଇଥିଲା। ଅତିଥି ଦଳ ୧୭୬ ରନ୍‌ରେ ଅଟକି ଯାଇଥିଲେ। କାରଣ ଭାରତୀୟ ବୋଲରମାନେ ସେମାନଙ୍କୁ ଅଧିକ ରନ୍ କରିବାକୁ ସୁଯୋଗ ଦେଇ ନଥିଲେ। ଜେସନ ହୋଲ୍ଡର ଦଳ ପାଇଁ ସର୍ବାଧିକ ୫୭ ରନ୍ କରିଥିଲେ।

ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ୬୦ ରନ୍‌, ଈଶନ୍ କିଶନଙ୍କ ୨୮ ଓ ସୂର୍ଯ୍ୟକୁମାର ଯାଦବଙ୍କ ୩୪ ରନ୍ ଯୋଗୁଁ ଭାରତ ୨୮ ଓଭରରେ ୧୭୮ ରନ୍ ସଂଗ୍ରହ କରି ପ୍ରଥମ ଦିନିକିଆକୁ ହାତେଇଥିଲା।

ଭାରତ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ଓ ପ୍ରସିଦ୍ଧ କ୍ରିଷ୍ଣା

ୱେଷ୍ଟଇଣ୍ଡିଜ୍‌: କିରଣ ପୋଲାର୍ଡ (ଅଧିନାୟକ), ବ୍ରେଣ୍ଡନ୍ କିଙ୍ଗ୍‌, ସାଇ ହୋପ୍‌, ଡାରେନ୍ ବ୍ରାଭୋ, ସମାରା ବ୍ରୁକ୍ସ, ନିକୋଲାସ୍ ପୂରନ୍‌, ଜାସନ ହୋଲ୍ଡର, ଫାବିଏନ୍ ଆଲେନ୍‌, ଅକିଲ ହୁସେନ୍‌, ଆଲଜେରି ଯୋଶେଫ୍‌, କେମାର ରୋଚ୍‌