ରାଜଧାନୀରେ ଗଡିବ ଇ-ବସ୍‌, ଏପ୍ରିଲରୁ ପରୀକ୍ଷା ମୂଳକ ଭାବରେ ଚାଲିବ ୫ ଇ-ବସ୍‌: କ୍ରୁଟ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବେ ରାଜଧାନୀ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ପ୍ରଦୂଷଣ। ଯାହାକୁ ନେଇ ରାଜଧାନୀରେ ଇ-ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ।

୨୦୧୯ରୁ ଏହି ଯୋଜନା କରାଯାଇଥିବା ବେଳେ ଆସନ୍ତା ଏପ୍ରିଲ ମାସରୁ ରାଜଧାନୀରେ ଇ-ବସ୍ ଚଳାଚଳ ନେଇ ସୂଚନା ଦେଇଛି କ୍ରୁଟ୍। କ୍ରୁଟ୍ ପକ୍ଷରୁ ଏପ୍ରିଲ ମାସ ଆରମ୍ଭରୁ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବରେ ୫ଟି ବସ୍ ଚଳାଚଳ କରିବ ଏହାପରେ ପର୍ଯ୍ୟାୟ କ୍ରମେ ଆହୁରି ୨୦୦ ବସ୍ ଏଥିରେ ସାମିଲ କରାଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।

ବସ୍‌ର ପ୍ରତି ସିଟ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ, ଜରୁରୀକାଳୀନ ରହଣି, ଶୀତତାପ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସୁବିଧା ଉପଲବ୍ଧ ରହିବ। ଏହି ବସ୍ ଶବ୍ଦ ସହ ବାୟୁ ପ୍ରଦୂଷଣମୁକ୍ତ। ରାଜଧାନୀରେ ୨ଶହରୁ ଊର୍ଦ୍ଧ୍ୱ ଇ-ବସ୍ ଚାଲିଲେ ୩୦ପ୍ରତିଶତରୁ ଅଧିକ ପ୍ରଦୂଷଣ କମିପାରିବ ବୋଲି କୁହାଯାଉଛି। ସେଥିପାଇଁ ଇ-ବସ୍‌କୁ ପ୍ରାଥମିକତା ଦେବାକୁ କ୍ରୁଟ୍ ସ୍ଥିର କରିଛି।