ଘର ସେଣ୍ଟ୍ରିଂ ବେଳେ ଅତଡ଼ା ଖସି ଜଣେ ମୃତ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଘର ସେଣ୍ଟ୍ରିଂ ଖୋଳିିଲା ବେଳେ କଂକ୍ରିଟ ଖଣ୍ଡ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କନିଷ୍ଟ ଭୋଇ । ଏପରି ଏକ ଘଟଣା ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳର ସଦର ବ୍ଲକ ଚିକଲବାହାଲ ଗାଁରେ ଘଟିଛି । ଖବର ପାଇ ବନ୍ଧପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

 ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କନିଷ୍ଟ ଭୋଇ ଘର ଖଣ୍ଡିଏ ପାଇଥିଲେ । ସେ କିଛିଦିନ ତଳେ ଘରର ଛାତ ପକାଇଥିଲେ କିନ୍ତୁ ମଙ୍ଗଳବାର ସକାଳେ ସେଣ୍ଟ୍ରିଂ ଖୋଳା କାମ ଚାଲିଥିବାବେଳେ ହଠାତ ଏକ ବଡ଼ କଂକ୍ରିଟ ଖଣ୍ଡ ତାଙ୍କ ଉପରେ ଖସି ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକେ କନିଷ୍ଟକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏନେଇ ଦେଓଗାଁ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳଲୋଚନ ମାଝୀ କହିଛନ୍ତି ।