କଟକ,ଏନ୍ଏନ୍ଏସ: ସ୍ଥାନୀୟ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ୍ରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ସୁପର ହଣ୍ଡ୍ରେଡ୍ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ମହିଳା ସିଙ୍ଗଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ବର୍ଗରେ କିରନ୍ ଜର୍ଜ ଚାମ୍ପିଅନ୍ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲରେ ୧୪ ବର୍ଷୀୟା ଉନ୍ନତି ୨୧-୧୮, ୨୧-୧୧ରେ ସ୍ମିତ୍ ତୋସନିୱାଲଙ୍କୁ ପରାସ୍ତ କରି ସୁପର୍ ହଣ୍ଡ୍ରେଡ୍ ଟାଇଟଲ୍ ଜିତିବାରେ ସର୍ବକନିଷ୍ଠା ହୋଇଛନ୍ତି । ସେ ଫାଇନାଲ୍ ମ୍ୟାଚ୍ଟିକୁ ମାତ୍ର ୩୫ ମିନିଟ୍ରେ ଶେଷ କରିଥିଲେ। ଏହା ମଧ୍ୟ ଉନ୍ନତିଙ୍କ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍।
ପ୍ରଥମ ଗେମ୍ରେ ଉନ୍ନତିଙ୍କୁ ତୋସନିୱାଲ କଡ଼ା ଟକ୍କର ଦେଇଥିଲେ ହେଁ ଏକଦା ଉନ୍ନତି ୧୮-୧୭ରେ ଆଗୁଆ ରହିଥିଲେ। ଶେଷରେ ଉନ୍ନତି ପ୍ରଥମ ଗେମ୍ଟିକୁ ମଧ୍ୟ ଜିତିନେଇଥିଲେ । ଦ୍ୱିତୀୟ ଗେମରେ ଉନ୍ନତି ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ପ୍ରଥମ ବିରତି ବେଳକୁୂ ୧୭-୪ରେ ଆଗୁଆ ରହିଥିଲେ। ତୋସନିୱାଲ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଉନ୍ନତି ଗେମ୍କୁ ୨୧-୧୧ରେ ଜିତିବା ସହ ମ୍ୟାଚ୍ର ଫଳାଫଳ ନିଜ ସପକ୍ଷରେ କରାଇନେଇଥିଲେ। ବରିଷ୍ଠ ବର୍ଗରେ ଦ୍ୱିତୀୟ ଥର ପାଇଁ ପ୍ରତିନିଧିତ୍ୱ କରିଥିବା ଉନ୍ନତି ସେମିଫାଇନାଲରେ ଶୀର୍ଷ ମାନ୍ୟତାପ୍ରାପ୍ତ ମାଳବିକା ବନ୍ସୋଡ୍ଙ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ।
ଫାଇନାଲ୍ରେ କିରନ୍ ୨୧-୧୫, ୧୪-୨୧, ୨୧-୧୮ରେ ପ୍ରିୟାଂଶୁ ରଜାୱତଙ୍କୁ ପରାସ୍ତ କରିଛନ୍ତି। କିରନ୍ ମ୍ୟାଚକୁ ୫୮ ମିନିଟ୍ରେ ଶେଷ କରିଥିଲେ। ପ୍ରଥମ ଗେମ୍ରେ କିରନ୍ ୯-୫ରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ସମୟରେ ରଜାୱତ ପ୍ରତ୍ୟାବର୍ତ୍ତନ କରିବା ସହ ୧୨-୧୨ରେ ସ୍ଥିତିକୁ ବରାବର କରିଥିଲେ। କିରନ୍ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବା ସହ ପ୍ରଥମ ଗେମ୍କୁ ୨୧-୧୫ରେ ଜିତିନେଇଥିଲେ। ଦ୍ୱିତୀୟ ଗେମରେ ରଜାୱତ ପ୍ରତ୍ୟାବର୍ତ୍ତନ କରିବା ସହ ଗେମ୍କୁ ୨୧-୧୪ରେ ଜିତିନେଇ ମ୍ୟାଚ୍କୁ ନିର୍ଣ୍ଣାୟକ ଗେମ୍କୁ ନେଇଥିଲେ। ଏହି ଗେମ୍ରେ କିରନ୍ ୧୦-୪ରେ ଆଗୁଆ ରହିବା ସହ ରଜାୱତଙ୍କୁ ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ଶେଷରେ ୨୧-୧୮ରେ ଗେମ୍କୁ ଜିତି ଟାଇଟଲ୍ ବିଜେତା ହୋଇଥିଲେ।
ଏହାଛଡ଼ା ମିକ୍ସଡ ଡବଲ୍ସ ଫାଇନାଲରେ ଶ୍ରୀଲଙ୍କାର ସଚିନ ଡିଆସ-ଥିଲିନି ହେଣ୍ଡାହେୱା ଯୋଡ଼ି ୨୧-୧୬ ଓ ୨୨-୨୦ରେ ଭାରତୀୟ ଯୋଡ଼ି ଏମଆର ଅର୍ଜୁନ -ତ୍ରିଶା ଜୋଲିଙ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ତା’ଛଡ଼ା ମହିଳା ଡବଲ୍ସରେ ତ୍ରିଶା ଜୋଲି-ଗାୟତ୍ରୀ ପୁଲେଲା ଗୋପୀଚାନ୍ଦ ଯୋଡ଼ି ୨୧-୧୨, ୨୧-୧୦ରେ ସଂୟୋଗିତା ଘୋରପଡେ-ଶ୍ରୁତି ମିଶ୍ରା ଯୋଡ଼ିକୁ ପରାସ୍ତ କରି ଟାଇଟଲ୍ ବିଜେତା ହୋଇଛି। ଅଧିକନ୍ତୁ ପୁରୁଷ ଡବଲ୍ସ ଫାଇନାଲରେ ମାଲେସିଆର ନୁର ମହମ୍ମଦ ଆୟୁବ ଆଜରିନ-ଲି ଖିମ ୱ ଯୋଡ଼ି ୧୮-୨୧, ୨୧-୧୪ ଓ ୨୧-୧୬ରେ ଭାରତୀୟ ଯୋଡ଼ି ଶଙ୍କର ପ୍ରସାଦ ଉଦୟ କୁମାର -ପିଏସ୍ ରବିକ୍ରିଷ୍ଣା ଯୋଡ଼ିକୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି।
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ଆର. ଭିନୀଲକ୍ରିଷ୍ଣା, ପ୍ରାୟୋଜକ ଡାଲମିଆ ଭାରତର ଜାତୀୟ ଉତ୍ପାଦ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଣେଶ ଜିରକୁଣ୍ଟୱାର ଓ ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ସମ୍ପାଦକ ଅଜୟ ସିଙ୍ଘାନିଆ, କଟକ ଡିସିପି ପ୍ରତୀକ ସିଂହ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ରାଜିନ୍ଦର ଶର୍ମା ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଗତ ୨୫ରୁ ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ଭାରତ ସମେତ ୧୭ଟି ଦେଶରୁ ସାଢ଼େ ୩ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।