ଆଣ୍ଟିଗୁଆ,ଏଜେନ୍ସି: ଏଠାରେ ଖେଳାଯାଇଥିବା ଚଳିତ ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ର ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ବାଂଲାଦେଶକୁ ୫ ୱିକେଟ୍ରେ ହରାଇ ଭାରତ ସେମିଫାଇନାଲ୍ରେ ପ୍ରବେଶ କରିଛି। ଏହା ସହିତ ୨୦୨୦ ବିଶ୍ବକପ୍ ଫାଇନାଲ୍ରେ ମିଳିଥିବା ପରାଜୟର ମଧ୍ୟ ଭାରତ ପ୍ରତିଶୋଧ ନେଇଛି। ସେମିଫାଇନାଲ୍ରେ ଫେବୃଆରୀ ୨ ତାରିଖରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ। ପ୍ରଥମେ ବାଂଲାଦେଶ ମାତ୍ର ୧୧୧ ରନ୍ କରିଥିଲା। ୧୧୨ ରନ୍ର ସହଜ ଲକ୍ଷ୍ୟକୁ ଭାରତ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା। ଉନ୍ନତ ବୋଲିଂ ପ୍ରଦର୍ଶନ ପାଇଁ ରବି କୁମାରଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା।
ଟସ୍ ଜିତି ଭାରତ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଡିଫେଣ୍ଡିଂ ଚାମ୍ପିଅନ୍ର ପ୍ରାରମ୍ଭ ବହୁତ ଖରାପ ଥିଲା। ୧୨ ରନ୍ର ସ୍କୋର୍ରେ ବାଂଲାଦେଶ ନିଜର ଦୁଇ ଓପ୍ନର୍ଙ୍କୁ ହରାଇଥିଲା। ଏହାପରେ ୧୪ ରନ୍ର ସ୍କୋର୍ରେ ତୃତୀୟ ୱିକେଟ୍ର ପତନ ଘଟିଥିଲା। ତିନିଟି ଯାକ ୱିକେଟ୍ ରବି କୁମାର ହିଁ ଅକ୍ତିଆର କରିଥିଲେ। ଏହାପରେ ଭିକ୍କି ଓସ୍ତୋୱାଲ୍ ଲଗାତାର ଦୁଇଟି ୱିକେଟ୍ ନେବା ଫଳରେ ମାତ୍ର ୩୭ ରନ୍ରେ ବାଂଲାଦେଶର ଅଧା ଟିମ୍ ପ୍ୟାଭିଲିଅନ୍ ଫେରିଥିଲା। ୫୬ ରନ୍ରେ ଟିମ୍ର ୭ ଖେଳାଳି ଆଉଟ୍ ହୋଇଥିବା ବେଳେ ୮ମ ୱିକେଟ୍ ପାଇଁ ମେହରୋବ ଓ ଆଶିକୁର୍ ୫୦ ରନ୍ର ପାର୍ଟନରଶିପ୍ କରି ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ। ଏହି ଦୁଇଜଣଙ୍କ ଆଉଟ୍ ପରେ ବାଂଲାଦେଶ ମାତ୍ର ୩୭.୫ ଓଭର୍ରେ ୧୧୧ ରନ୍ ମଧ୍ୟରେ ସୀମିତ ହୋଇଯାଇଥିଲା।
୧୧୨ ରନ୍ର ସହଜ ଲକ୍ଷ୍ୟକୁ ପିଛା କରୁଥିବା ଭାରତର ଆରମ୍ଭ ମଧ୍ୟ ବହୁତ ଖରାପ ଥିଲା। ଦ୍ୱିତୀୟ ଓଭର୍ରେ ଓପ୍ନର୍ ହରନୁର୍ ସିଂହ ଆଉଟ୍ ହୋଇଥିଲେ। ଏହାପରେ ଅଙ୍ଗକୃଷ ରଘୁବଂଶୀ ଓ ଭାଇସ୍ କ୍ୟାପ୍ଟେନ୍ ଶେଖ ରଶିଦ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୦ ରନ୍ର ବଡ଼ ପାର୍ଟନରଶିପ୍ କରିଥିଲେ। ରଘୁବଂଶୀ ୪୪ ଓ ରଶିଦ୍ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲା ଟିମ୍ ଉଦ୍ୟମ କରି ୪ ଓଭର୍ ମଧ୍ୟରେ ୩ଟି ୱିକେଟ୍ ହାସଲ କରିଥିଲା। ତେବେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ୯୭ ରନ୍ରେ ଭାରତ ୫ ୱିକେଟ୍ ହରାଇବା ପରେ କୌଶଳଙ୍କ ସହ କ୍ୟାପ୍ଟେନ୍ ୟଶ୍ ଧୁଲ୍ ସତର୍କତାର ସହ ଖେଳି ଟିମ୍କୁ ସେମିଫାଇନାଲ୍ରେ ପହଞ୍ଚାଇଥିଲେ।