ଗ୍ରାଣ୍ଡସ୍ଲାମ୍‌ରେ ନାଡାଲ୍‌: ୧୭ ବର୍ଷରେ ୨୧ ଟାଇଟଲ୍‌

ମେଲବର୍ଣ୍ଣ,ଏଜେନ୍ସି: ବିଗ୍ ଥ୍ରୀ କ୍ଲବ୍‌ର ନୋଭାକ୍ ଜୋକୋଭିଚ୍ ଓ ରୋଜର୍ ଫେଡେରର୍‌ଙ୍କୁ ପଛରେ ପକାଇ ସ୍ପେନ୍‌ର ରାଫେଲ୍ ନାଡାଲ୍ ରବିବାର ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବାର ରେକର୍ଡ ନିଜ ନାମରେ କରିପାରିଛନ୍ତି। ରବିବାର ମେଲବର୍ଣ୍ଣ ପାର୍କରେ ସେ ରୁଷିଆର ଡାନିଲ୍ ମେଡଭେଡେଭ୍‌ଙ୍କୁ ୫ ସେଟ୍ ବିଶିଷ୍ଟ କଡ଼ା ମୁକାବିଲାରେ ପରାସ୍ତ କରି ଇତିହାସ ପୃଷ୍ଠାରେ ନିଜର ନାମକୁ ଦରଜ କରିପାରିଛନ୍ତି। ତେବେ ମାତ୍ର ୧୭ ବର୍ଷ ଭିତରେ ଏହି ଖେଳାଳି ଜଣକ ୨୧ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରି ସବୁଠାରୁ ସଫଳତମ ଖେଳାଳି ହୋଇପାରିଛନ୍ତି।

୨୦୦୫ରେ ସେ ସର୍ବପ୍ରଥମେ ଫ୍ରେଞ୍ଚ୍ ଓପନ୍ ମାଧ୍ୟମରେ ତାଙ୍କର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ଧାରା ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଏହି କ୍ଲେକୋର୍ଟରେ କ୍ରମାଗତ ୪ଟି ଟାଇଟଲ୍ ଜିତି ନିଜକୁ ଏହି ଧରଣର କୋର୍ଟର ମାଷ୍ଟର୍ ବୋଲି ନାଡାଲ୍ ପ୍ରମାଣିତ କରିଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କର କ୍ଲେ କୋର୍ଟ ପ୍ରଦର୍ଶନକୁ ଏତେ ମାତ୍ରାରେ ଶାଣିତ କରିପାରିଥିଲେ ଯେ ୧୭ ବର୍ଷ ମଧ୍ୟରେ ୧୩ ଥର ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଚାମ୍ପିଅନ୍ ହୋଇପାରିଛନ୍ତି। ଏହାଛଡ଼ା ନାଡାଲ୍ ୱିମ୍ବଲଡନ୍ ଓପନ୍ ମାଧ୍ୟମରେ ତାଙ୍କର ପଞ୍ଚମ ଟାଇଟଲ୍ ହାସଲ କରିବା ସହ ଏଥିରେ ଅଦ୍ୟାବଧି ସର୍ବମୋଟ ୨ ଥର ଚାମ୍ପିଅନ୍ ହୋଇପାରିଛନ୍ତି। ଗତ ୨୦୧୦ରେ ସେ ୱିମ୍ବଲଡନ୍‌ରେ ଶେଷ ଥର ପାଇଁ ଟାଇଟଲ୍ ଜିତିଥିଲେ। ଏହାଛଡ଼ା ସେ ୟୁଏସ୍ ଓପନ୍‌ରେ ୪ ଥର ଓ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଚଳିତ ବର୍ଷକୁ ମିଶାଇ ୨ ଥର ଚାମ୍ପିଅନ୍ ହୋଇଛନ୍ତି।

ନାଡାଲ୍ ତାଙ୍କର ଜାଜ୍ଜ୍ୱଲ୍ୟମାନ କ୍ୟାରିୟର୍‌ରେ ୨୯ ଥର ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପହଞ୍ଚିବା ସହ ୨୧ ଥର ଟାଇଟଲ୍ ଜିତିଛନ୍ତି ଓ ୮ ଥର ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡସ୍ଲାମ୍‌ରେ ଆର୍ଜେଣ୍ଟିନାର ମାରିଆନୋ ପୁଏର୍ତା ତାଙ୍କର ପ୍ରଥମ ଓ ମେଡଭେଡେଭ୍ ସଦ୍ୟତମ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ଆଘାତଜନିତ ସମସ୍ୟା ସହ ଲଢ଼େଇ କରିବା କାରଣରୁ ଗତ ୨୦୨୧ରେ ନାଡାଲ୍ କୌଣସି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିପାରିନାହାନ୍ତି।

ୱିମ୍ବଲଡନ୍ ଓପନ୍ ଓ ୟୁଏସ୍ ଓପନ୍‌ରୁ ସେ ଓହରିଯାଇଥିବା ବେଳେ ଅଷ୍ଟ୍ରେଲିଆନ୍ ଓପନ୍‌ରେ କ୍ୱାର୍ଟର୍ ଓ ଫ୍ରେଞ୍ଚ୍ ଓପନ୍‌ରେ ସେମିଫାଇନାଲ୍ ପର୍ଯ୍ୟନ୍ତ ହିଁ ଯାଇପାରିଥିଲେ। ନାଡାଲ୍ ମଧ୍ୟ ତାଙ୍କ କ୍ୟାରିୟର୍‌ରେ ୯୦ଟି ଟାଇଟଲ୍ ହାସଲ କରି ଓପନ୍ ଏରାରେ ଏ କ୍ଷେତ୍ରରେ ଚତୁର୍ଥ ସଫଳ ଖେଳାଳି ରହିଛନ୍ତି। ସେହିପରି ସଂଯୋଗବଶତଃ ସେ ଅଷ୍ଟ୍ରେଲିଆନ୍ ଓପନ୍‌ରୁ ଗ୍ରାଣ୍ଡସ୍ଲାମ୍ କ୍ୟାରିୟର୍ ଆରମ୍ଭ କରିଥିବା ବେଳେ ଏଠାରେ ହିଁ ରେକର୍ଡ ଟାଇଟଲ୍ ଅର୍ଜନ କରିଛନ୍ତି।