ଇଣ୍ଡିଜ୍ ସିରିଜ୍ ପାଇଁ ଶାହରୁଖ୍ ଓ ସାଇ କିଶୋର ରିଜର୍ଭ ଖେଳାଳି

ନୂଆଦିଲ୍ଲୀ,ଏଜେନ୍ସି: ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର୍ ସିରିଜ୍ ପାଇଁ ତାମିଲନାଡ଼ୁର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ ଓ ବାମହାତୀ ସ୍ପିନର୍ ରବି ଶ୍ରୀନିବାସ ସାଇ କିଶୋରଙ୍କୁ ଟିମ୍ ଇଣ୍ଡିଆରେ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ସାମିଲ କରାଯାଇଛି। ସୀମିତ ଓଭର୍‌ର ଜାତୀୟ ଟୁର୍ଣ୍ଣାମେଣ୍ଟରେ ତାମିଲନାଡ଼ୁର ସଫଳତାରେ ଏହି ଦୁଇ ଖେଳାଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋଭିଡ୍‌-୧୯ ବିପଦକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ଏହି ଦୁଇ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ଫଳରେ ମୁଖ୍ୟ ଟିମ୍‌ର କୌଣସି ଖେଳାଳି ପଜିଟିଭ୍ ଚିହ୍ନଟ ହେଲେ ଏମାନେ ତାଙ୍କର ବିକଳ୍ପ ହେବେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେବା ସହ ଶାହରୁଖ୍ ଓ ସାଇ କିଶୋର ମୁଖ୍ୟ ଟିମ୍‌ର ଅନ୍ୟ ଖେଳାଳିଙ୍କ ସହିତ ବାୟୋ ବବଲ୍‌ରେ ପ୍ରବେଶ କରିବେ। ସୀମିତ ଓଭର୍ ସିରିଜ୍ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ଗୁଡ଼ିକ ଫେବୃଆରୀ ୬ ତାରିଖରୁ ଅହମ୍ମଦାବାଦରେ ଖେଳାଯିବ। ଏହା ପରେ ସମାନ ସଂଖ୍ୟକ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୋଲ୍‌କାତାରେ ଖେଳାଯିବ।

ସାଇ କିଶୋର ଗତବର୍ଷ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ ତତ୍ତ୍ୱାବଧାନରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆରେ ନେଟ୍ ବୋଲର୍ ଗ୍ରୁପ୍‌ର ସଦସ୍ୟ ଥିଲେ। ଏବେ ଦ୍ୱିତୀୟ ଥର ସେ ଜାତୀୟ ଟିମ୍‌ର ସଦସ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଶାହରୁଖ୍ ଖାନ୍ ଗତ କିଛି ସମୟ ଟିମ୍ ଇଣ୍ଡିଆରେ ସ୍ଥାନ ହାସଲ ଉଦ୍ୟମରେ ଅଛନ୍ତି। ଚଳିତ ସିଜନ୍‌ର ସୟଦ୍ ମୁସ୍ତାକ ଅଲୀ ଟ୍ରଫିର କର୍ଣ୍ଣାଟକ ବିପକ୍ଷ ଫାଇନାଇଲ୍ ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ଛକା ଲଗାଇ ନିଜ ଟିମ୍‌କୁ ଚାମ୍ପିଅନ୍ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।