ଏଟିପି ଓ ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନରେ ବାର୍ଟି ଓ ଜୋକୋଭିଚ୍ ସ୍ଥିର

ଇଂଲଣ୍ଡ,ଏଜେନ୍ସି: ଅଷ୍ଟ୍ରେଲିଆନ୍ ଓପନ୍‌ର ଫାଇନାଲ୍‌ରେ ଆମେରିକୀୟ ଡାନିଏଲ୍ କଲିନ୍ସଙ୍କୁ ହରାଇ ତୃତୀୟ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବା ପରେ ଅଷ୍ଟ୍ରେଲିଆର ଏକ ନମ୍ବର ଖେଳାଳି ଆଶ୍‌ଲେ ବାର୍ଟି ମହିଳା ସିଙ୍ଗଲ୍ସ ର‌୍ୟାଙ୍କିଙ୍ଗ୍‌ର ଏକ ନମ୍ବର ସ୍ଥାନରେ କାଏମ ରହିଛନ୍ତି। ଏଥିସହ ଫ୍ରେଞ୍ଚ୍ ଓପନ୍ ଓ ୱିମ୍ବଲଡନ୍ ଓପନ୍‌ରେ ଟାଇଟଲ୍ ହାସଲ କରିସାରିଥିବା ବାର୍ଟି ଦ୍ୱିତୀୟ ସ୍ଥାନରେ ଥିବା ବେଲାରୁଷର ଆରିନା ସାବାଲେଙ୍କାଙ୍କ ଉପରେ ଅଗ୍ରଣୀକୁ ଆହୁରି ଦୃଢ଼ କରିଛନ୍ତି। ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିବା ଯୋଗୁଁ ଗତବର୍ଷର ଫ୍ରେଞ୍ଚ୍ ଓପନ ଚାମ୍ପିଅନ୍ ବାର୍ବୋରା କ୍ରେଜିକୋଭା ସଦ୍ୟ ଘୋଷିତ ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପୋଲାଣ୍ଡ୍‌ର ଇଗା ସ୍ୱିଆଟେକା ପାଞ୍ଚଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଥିବା ବେଳେ ୨୮ ବର୍ଷୀୟା କଲିନ୍ସ ୨୦ଟି ସ୍ଥାନର ଲମ୍ଫ ପ୍ରଦାନ ସହ ପ୍ରଥମ ଥର ପାଇଁ ଶୀର୍ଷ ୧୦ ଖେଳାଳି ସୂଚୀରେ ପ୍ରବେଶ କରିଛନ୍ତି। ପୂର୍ବତନ ଏକ ନମ୍ବର ଖେଳାଳି ଗାର୍ବାଇନ୍ ମୁଗୁରୁଜା ୪ଟି ସ୍ଥାନର କ୍ଷତି ସହି ସପ୍ତମକୁ ଖସିଯାଇଛନ୍ତି।

ଅନ୍ୟପକ୍ଷରେ ଏଟିପି ର‌୍ୟାଙ୍କିଙ୍ଗ୍‌ରେ ପୁରୁଷ ସିଙ୍ଗଲ୍ସର ଶୀର୍ଷ ୧୦ରେ କେବଳ ଇଟାଲୀର ମାଟେଓ ବେରେଟିନି ଓ ରୁଷିଆର ଆନ୍ଦ୍ରେ ରୁବ୍ଲେଭ୍‌ଙ୍କ ର‌୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ହୋଇଛି। ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲିଷ୍ଟ ବେରେଟିନୀ କ୍ୟାରିୟର୍ ଶ୍ରେଷ୍ଠ ଷଷ୍ଠ ସ୍ଥାନକୁ ଉଠିଥିବା ବେଳେ ରୁବ୍ଲେଭ୍ ସପ୍ତମକୁ ଖସି ଆସିଛନ୍ତି। କୋଭିଡ୍‌-୧୯ ଟିକାକରଣ ସର୍ତ୍ତ ପୂରଣ କରିନଥିବା କାରଣରୁ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିପାରି ନଥିବା ସତ୍ତ୍ୱେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ରୁଷିଆରେ ଦାନିଲ୍ ମେଡ୍‌ଭେଡେଭ୍ ଦ୍ୱିତୀୟ ସ୍ଥାନରେ ସ୍ଥିର ଥିବାବେଳେ ଜର୍ମାନୀର ଆଲେକ୍‌ଜାଣ୍ଡର ଜ୍ୱେରେଭ୍ ତୃତୀୟ, ଗ୍ରୀସ୍‌ର ଷ୍ଟିଫାନୋସ୍ ସିିତ୍‌ସିପାସ୍ ଚତୁର୍ଥ ଓ ସ୍ପେନ୍‌ର ରାଫେଲ୍ ନାଡାଲ୍ ପଞ୍ଚମ ସ୍ଥାନରେ ରହିଛନ୍ତି।