ଭୁବନେଶ୍ୱର,ଏନ୍ଏନ୍ଏସ୍: ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ବିବାଦୀୟ ଜମି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉକ୍ତ ଜମିରେ ଘରୋଇ ସଂସ୍ଥାର ନିର୍ମାଣ କାର୍ଯ୍ୟକୁ ରବିବାର କାମ ବନ୍ଦ କରିଦେଇଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ପୁଲିସ ଟିମ୍କୁ ସାଙ୍ଗରେ ନେଇ ଉକ୍ତ ଜମିରେ ନାଲି ପତାକା ପୋତିଛନ୍ତି। ଏଥିସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିଲା ବୋଲି ଏକ ନୋଟିସ୍ ଲଗାଇଛନ୍ତି। ଖାଲି ଏତିକି ନୁହେଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଣ୍ଟେନରକୁ ମଧ୍ୟ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଏହି ଜମିକୁ ନେଇ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ବିଚାରାଧୀନ ରହିଛି। ୨୦୧୬ ମସିହାରେ ପ୍ରଭୁ ଲିଙ୍ଗରାଜଙ୍କ ଦୁଇ ଏକର ଜମି ଦୁଇଜଣ ସାଧାରଣଲୋକଙ୍କ ନାଁରେ ଟ୍ରାନ୍ସଫର ହୋଇଥିଲା। ଏହାପରେ ଜଣେ ବ୍ୟକ୍ତି ଜମିକୁ ବିକ୍ରି କରିଦେଇଥିବା ବେଳେ ସେହି ଜମି ଉପରେ ଏକ ଘରୋଇ ସଂସ୍ଥା ନିର୍ମାଣ କାର୍ଯ୍ୟ କରୁଥିଲା। ପରେ ଲିଙ୍ଗରାଜଙ୍କ ଜମିକୁ ପୁଣି ଥରେ ଫେରାଇ ନେବାକୁ ରାଜସ୍ୱ ସଚିବ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହାପରେ ବୋର୍ଡ୍ ଅଫ୍ ରେଭିନ୍ୟୁରେ ମାମଲା ବିଚାରଧିନ ଥିବାବେଳେ ଘରୋଇ ସଂସ୍ଥା ଏହି ଜମିରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା। ତେଣୁ ଏହାକୁ ପ୍ରଶାସନ ବନ୍ଦ କରିଦେଇଛି। ଏସମ୍ପର୍କରେ ଭୁବନେଶ୍ୱର ତହସିଲଦାର ପ୍ରଦୀପ କୁମାର ସାହୁ କହିଛନ୍ତି, ବୋର୍ଡ ଅପ୍ ରେିଭନ୍ୟୁଙ୍କ ନିର୍ଦ୍ଦେଶ କ୍ରମେ ଆମେ କାମ ବନ୍ଦ କରିଛୁ। ପୁଲିସର ଉପସ୍ଥିତିରେ କାମ ବନ୍ଦ କରାଯାଇଛି। ଯେପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନହୋଇଛି, ସେ ଯାଏ କାମ ବନ୍ଦ ରହିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଏହି ଜମି ବିବାଦକୁ ନେଇ ଉଭୟ ଶାସକ ଓ ବିଜେପି ନିଜନିଜ ମନ୍ତବ୍ୟ ରଖିଛନ୍ତି। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡା କହିଛନ୍ତି, ଯେଉଁ ଲିଙ୍ଗରାଜ ଜମି କଥା ଆସୁଛି, ସେଥିରେ ଏକ ସେବାୟତ ପରିବାର ରହୁଥିଲେ। ତାଙ୍କର ଦାୟିତ୍ୱ ଥିଲା ଭଣ୍ଡାର ରକ୍ଷା ଓ ସେବା ପୂଜା। ସେଇଟା ଯେହେତୁ ଦେବୋତ୍ତର ବିଭାଗର, ତେଣୁ ନିଷ୍ପତ୍ତି ହୋଇଛି ଯେ ସମ୍ପୂର୍ଣ୍ଣ ଅଧିକାର ମନ୍ଦିରର ଓ ସାଧାରଣ ପ୍ରଶାସନ ବିଭାଗର। କୌଣସି ପରିସ୍ଥିତିରେ ଲିଙ୍ଗରାଜ ଜମି ଅନ୍ୟତ୍ର ହସ୍ତାନ୍ତରର ପ୍ରଶ୍ନ ଉଠୁନାହିଁ। ମନ୍ଦିର କଲ୍ୟାଣ ପାଇଁ ରହିବ। ଲିଙ୍ଗରାଜଙ୍କ ଜମିରେ କୌଣସି ସାଲିସକୁ ବରଦାସ୍ତ କରାଯିବ ନାହିଁ। ସେପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଠାକୁରଙ୍କ ଜମିକୁ ଯଦି ଲୋକେ ହଡ଼ପ କରିବେ, ତାହେଲେ ଏହାଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କିଛି ହୋଇପାରିବ ନାହିଁ। ରାଜ୍ୟସରକାର ଠାକୁରଙ୍କ ସମ୍ପତ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତି। ଲିଙ୍ଗରାଜ ଓ ଜଗନ୍ନାଥଙ୍କର ଜମି ସବୁ ହଡ଼ପ ହେବାରେ ଲାଗିଛି। ତେଣୁ ସରକାର ଏହାକୁ ଗୁରୁତ୍ୱର ସହ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।