କୁନି ପୁଅର କମାଲ, ଅଢେଇ ବର୍ଷରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ

କଟକ,ଏନ୍ନ୍ଏସ୍: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଅଢେଇ ବର୍ଷୀୟ ବାଳକ। ଦେଶ ବିଦେଶ ଓ ଗ୍ରହ ନକ୍ଷେତ୍ର ସମ୍ପର୍କରେ ଉତ୍ତର ଦେଇ ଜାତୀୟ ଦରବାରରେ ସାମ୍ନାନିତ ହୋଇପାରିଛନ୍ତି କଟକର ଅଢେଇ ବର୍ଷୀୟ କୁନି ପୁଅ ବିରାଜ ଭଗତ। କୁହାଯାଏ ସଫଳତା ଦେଖେନି ବୟସ ସୀମା। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ବିରାଜ। ପିଲାଟିର ଏଭଳି ବିଚକ୍ଷଣ ପ୍ରତିଭା ଦେଖି ବାଃ ବାଃ ଦେଉଛନ୍ତି ସମସ୍ତେ।

କଟକ ତୁଳସୀପୁର ମଧୁସୂଦନ ନଗର ଅଞ୍ଚଳରେ ବସବାସ କରୁଥିବା ଶିବେଶ୍ ଭଗତ ଓ ପଲ୍ଲବୀ ଭଗତଙ୍କ ପୁଅ ହେଉଛନ୍ତି ବିରାଜ ପ୍ରସାଦ ଭଗତ। ବିରାଜ କଥା କହିବା ଦିନଠୁ ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଥିଲେ। ଖେଳକୁଦ ବୟସରେ ପିଲାଟିର ଏଭଳି ବିଚକ୍ଷଣ ପ୍ରତିଭାର ସମ୍ପର୍କରେ ଜାଣିପାରିଥିଲେ ପରିବାର ଲୋକେ। ଏହାପରେ ସେମାନେ ତାଙ୍କୁ ଦେଶବିଦେଶ, ମହାକାଶ, ଜୀବଜନ୍ତୁ ସମ୍ପର୍କରେ ଶିକ୍ଷା ଦେଇଥିଲେ। ପ୍ରଖର ସ୍ମରଣ ଶକ୍ତିର ଅଧିକାରୀ ଏହି ବାଳକ ସବୁକିଛି ଖୁବ୍ ସହଜରେ ମନେ ରଖିଥିଲେ। ବାପାମାଆ ପୁଅର ଏଭଳି ଅନନ୍ୟ ପ୍ରତିଭା ଦେଖି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଆବେଦନ କରିଥିଲେ। ଏହି ପ୍ରତିଯୋଗିତାରେ ବିରାଜ ୮ଟି ଗ୍ରହ, ୧୦ଟି ଗାଡି, ୧୨ଟି ଦେଶର ପତାକା, ୧୬ଟି ଜଳଜୀବ, ୫ଟି ଅଙ୍ଗ ଓ ୧୫ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ କରିଛନ୍ତି।

ମାଆ ପଲ୍ଲବୀ ଭଗତ ନିଜର ଦୁଇ ଝିଅ ଓ ପୁଅ ବିରାଜଙ୍କୁ ସବୁବେଳେ ନିଜର ପ୍ରତିଭା ପ୍ରଦର୍ଶିତ ଲାଗି ସବୁବେଳେ ପ୍ରୋତ୍ସାହିତ କରନ୍ତି। ବାପାମାଆଙ୍କ ଶିକ୍ଷା ପାଇଁ ଆଜି ବିରାଜ ଏପରି ସଫଳତାର ଅଧିକାରୀ ହୋଇପାରିଛନ୍ତି।  ଏତେ କମ୍ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ସ୍ଥାପନ କରି ଜାତୀୟ ଦରବାରରେ ନିଜର ନାମ କମାଇ ଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ବିରାଜଙ୍କ ପରିବାର। ଖାଲି ଏତିକି ନୁହେଁ ବର୍ତ୍ତମାନ ଏହି ଖବର ପ୍ରଚାରିତ ହେବା ପରେ ଭଗତ ପରିବାରକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ।