କଟକ,ଏନ୍ଏନ୍ଏସ୍: ମାହାଙ୍ଗା ୪ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ଯସ୍ତ ହେଲା ଅଭିଯୁକ୍ତ। ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ। ଆଜି(ଶନିବାର) କଟକ ଏଡିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ମାମଲାର ଶୁଣାଣି କରାଯାଇଥିଲା।
ଦୋଷୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ନିୟମ ରଖାଯାଇଛି। ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ।
ସେହିପରି ପୀଡିତାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଫିକ୍ସ ଡିପୋଜିଟ ହୋଇ ରହିବ। ସୂଚନା ଅନୁଯାୟୀ, ୨୦୧୯ ମସିହା ଫେବୃଆରୀ ୨୭ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ବିବାହ ମଣ୍ଡପରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା ଦୋଷୀ ଜିତେନ୍ଦ୍ର। ତେବେ ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ଵଜିତ ରାୟ।