ଆରମ୍ଭ ହେଲା ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ, ଓହରିଲେ ସିନ୍ଧୁ ଓ ସାଇନା

କଟକ,ଏନ୍ଏନ୍ଏସ୍: ଆରମ୍ଭ ହୋଇଯାଇଛି ଓଡ଼ିଶା ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ। କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ୧୭ଟି ଦେଶରୁ ୨୯୮ ଜଣ ପୁରୁଷ ଓ ଅନ୍ୟାନ୍ୟ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ କେବଳ ମହିଳା ଓ ପୁରୁଷ ଡବଲ୍ସ ମ୍ୟାଚ୍‌ ରହିଛି। କୋଭିଡ କଟକଣା ପାଇଁ ଷ୍ଟାଡିୟମକୁ ଦର୍ଶକଙ୍କୁ ବାରଣ କରାଯାଇଛି।

ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ଶ୍ବେତାପର୍ଣ୍ଣା ପଣ୍ଡା ମଧ୍ୟ ମ୍ୟାଚ୍‌ ଖେଳିବା ପାଇଁ କୋର୍ଟକୁ ଓହ୍ଲାଇବେ। ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ପ୍ରାୟ ୧୭ଟି ଦେଶରୁ ୨୯୮ ଖେଳାଳି ଅଂଶଗ୍ରହଣ କରିଛନ୍ତି। ତେବେ ଓଡିଶା ଓପନ ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି କମିଶନରେଟ ପୁଲିସ।

ଓଡିଶା ଓପନରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ସର୍ଟଲରମାନେ ଆଶା ରଖିଛନ୍ତି। ଓଡିଆ ସର୍ଟଲର ଋତୁପର୍ଣ୍ଣା ପଣ୍ଡା ଶ୍ବେତପର୍ଣ୍ଣା ପଣ୍ଡାଙ୍କ ସମେତ ସିକି ରେଡ୍ଡୀ, ଅଶ୍ବିନୀ ପୋନାପାଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋଭିଡ କଟକଣା ଭିତରେ ଏହି ଟୁର୍ନାମେଣ୍ଟ ଆୟୋଜନ ହେଉଥିବାରୁ ଜାତୀୟ ବ୍ୟାଡମିଣ୍ଟନ ସଂଘ ଓ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘକୁ ପ୍ରଶଂସା କରିଛନ୍ତି ଖେଳାଳି।

୪ଟି କୋର୍ଟରେ ମୋଟ ୫ଟି ବର୍ଗରେ ଖେଳାଯିବ ଏହି ଟୁର୍ନାମେଣ୍ଟ। ମହିଳା ସିଙ୍ଗଲ୍ସ ଓ ଡବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଏବଂ ମିକ୍ସ ଡବଲ୍ସ ଆଦି ଇଭେଣ୍ଟରେ ପ୍ରତିଯୋଗୀ ମାନେ ଭାଗ ନେବେ। ଟୁର୍ନାମେଣ୍ଟର ପୁରସ୍କାର ରାଶି ୭୫ ହଜାର ଆମେରିକୀୟ ଡ଼ଲାର ରଖା ଯାଇଛି। ଟୁର୍ନାମେଣ୍ଟରେ ୩୫୦ରୁ ଅଧିକ ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ କୋଭିଡ କାରଣରୁ ଅନେକ ଷ୍ଟାର ଖେଳାଳି ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ତେବେ ରାଜ୍ୟର ଖେଳାଳିମାନଙ୍କ ପାଇଁ ଏହି ଟୁର୍ନାମେଣ୍ଟ ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ଓଡିଶା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ।

ଆଶା କରାଯାଉଥିଲା ଓଡ଼ିଶା ଓପନରେ ସାଇନା ନେହୱାଲ, ପିଭି ସିନ୍ଧୁଙ୍କ ସମେତ ଟୋକିଓ ଅଲମ୍ପିକ୍‌ସରେ ପଦକ ବିଜେତାମାନେ ଅଂଶ ଗ୍ରହଣ କରିବେ। କିନ୍ତୁ କୋଭିଡ ଯୋଗୁଁ ଅନେକ ଖେଳାଳି ଶେଷ ମୁହୂର୍ତ୍ତରେ ପ୍ରତିଯୋଗୀତାରୁ ଓହରି ଯାଇଛନ୍ତି।