କଟକ,ଏନ୍ଏନ୍ଏସ୍: ମଙ୍ଗଳବାରଠାରୁ ବିଡବ୍ଲ୍ୟୁଏଫ୍ ସୁପର୍ ହଣ୍ଡ୍ରେଡ୍ ଓଡ଼ିଶା ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ ସ୍ଥାନୀୟ ଜବାହରଲାଲ୍ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ସମେତ ୧୭ଟି ଦେଶର ୩୫୦ ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଇତିମଧ୍ୟରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଏବଂ ଅଫିସିଆଲ୍ ପହଞ୍ଚିସାରିଥିବା ବେଳେ ଏହି ଅନ୍ତର୍ଜାତୀୟ ଇଭେଣ୍ଟ୍ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ସହଯୋଗରେ ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ୍ ଆସୋସିଏସନ୍ (ଓଏସ୍ବିଏ) ଏହାର ଆୟୋଜନ କରୁଛି। ପ୍ରଥମ ଥର ପାଇଁ ରାଜ୍ୟରେ ଅନ୍ତର୍ଜାତୀୟ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ଏହାକୁ ସଫଳତା ପୂର୍ବକ ସମ୍ପନ୍ନ କରିବା ସକାଶେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କୋଭିଡ୍ଜନିତ ଆହ୍ୱାନମୂଳକ ପରିବେଶ ସତ୍ତ୍ୱେ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ଓଡ଼ିଶାକୁ ସୁଯୋଗ ମିଳିଥିବାରୁ ଏଥିସକାଶେ ଶ୍ରୀ ବେହେରା ବିଡବ୍ଲ୍ୟୁଏଫ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜେତା ସାଇନା ନେହ୍ୱାଲ୍ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ ରହିଥିବା ବେଳେ ପୁରୁଷ ସିଙ୍ଗଲ୍ସରେ ପାରୁପାଲ୍ଲୀ କାଶ୍ୟପ୍ ଟପ୍ ସିଡ୍ ଭାବେ ଅଂଶଗ୍ରହଣ କରୁଛନ୍ତି।
ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଖେଳାଳିମାନେ ରବିବାର ଏଠାରେ ପହଞ୍ଚିବା ପରେ ସୋମବାର ଅଭ୍ୟାସ କରିଛନ୍ତି। ଟୁର୍ଣ୍ଣାମେଣ୍ଟ୍ଟି ଷ୍ଟାଡିୟମ୍ର ୪ଟି କୋର୍ଟରେ ଖେଳାଯିବ। ପ୍ରତିଯୋଗିତାରେ ପୁରୁଷ ଓ ମହିଳା ସିଙ୍ଗଲ୍ସ ବ୍ୟତୀତ ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟ୍ ମଧ୍ୟ ରହିଛି। ପ୍ରତିଯୋଗିତାରେ ପୁରସ୍କାର ରାଶି ବାବଦରେ ୫ ହଜାର ଆମେରିକୀୟ ଡଲାର୍ ପ୍ରଦାନ କରାଯିବ ବୋଲି ଟୁର୍ଣ୍ଣାମେଣ୍ଟ୍ର ଡେପୁଟି ଚିଫ୍ ରେଫରି ଗିରୀଶ ନଟ୍ଟୁ ସୂଚନା ଦେଇଛନ୍ତି।
କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟଟି ଆୟୋଜିତ ହେଉଥିବାରୁ କୌଣସି ଦର୍ଶକଙ୍କୁ ମ୍ୟାଚ୍ ଦେଖିବା ସକାଶେ ଅନୁମତି ମିଳିବ ନାହିଁ। ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଅଫିସିଆଲମାନଙ୍କର କୋଭିଡ୍ ନମୁନା ଶନିବାର ପରୀକ୍ଷା ହୋଇସାରିଥିବା ବେଳେ କେବଳ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିବିଶେଷଙ୍କୁ ଟୁର୍ଣ୍ଣାମେଣ୍ଟ୍ରେ ଭାଗ ନେବା ସକାଶେ ସୁଯୋଗ ମିଳିବ।
ଟୁର୍ଣ୍ଣାମେଣ୍ଟ୍ ଆୟୋଜନରେ ସହଯୋଗ କରୁଥିବାରୁ ଓଏସ୍ବିଏ ସମ୍ପାଦକ ନିଲୀନ କୁମାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଧନ୍ୟବାଦ ଦେବା ସହ ଏହି ଅନ୍ତର୍ଜାତୀୟ ଇଭେଣ୍ଟ୍ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀରେ ପରିଣତ କରିବା ସ୍ୱପ୍ନକୁ ଆହୁରି ବଳିଷ୍ଠ କରିବ ବୋଲି କହିଛନ୍ତି। ଟୁର୍ଣ୍ଣାମେଣ୍ଟ୍ ପାଇଁ ସୋମବାର ଅପରାହ୍ଣରେ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଦଳର କୋଚ୍ ତଥା କିମ୍ବଦନ୍ତୀ ଖେଳାଳି ପୁଲେଲା ଗୋପୀଚାନ୍ଦ ଭୁବନେଶ୍ୱରରେ ପହଞ୍ଚିଥିଲେ। ପରେ ସେ କଟକରେ ପହଞ୍ଚି ଅଭ୍ୟାସ କରୁଥିବା ଖେଳାଳିମାନଙ୍କ ସହ ଟୁର୍ଣ୍ଣାମେଣ୍ଟ୍ ସମ୍ପର୍କରେ ଆଲୋଚନା କରି ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି।
ସେହିପରି ପ୍ରତିଯୋଗିତା ପରିଚାଳନା କରିବା ସକାଶେ ୪୦ ଜଣ ବୈଷୟିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଏଫ୍ଆଇ ଗ୍ରେଡ୍-ଏ ଅମ୍ପାୟାର୍ ରୀତା ଦାସ ଓ ବିଜୟ କୁମାର ବାଗ୍ ମଧ୍ୟ ମ୍ୟାଚ୍ ପରିଚାଳନା ଦାୟିତ୍ୱରେ ରହିବେ। ସେହିପରି ପ୍ରତିଯୋଗିତାର ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ଗୁଡ଼ିକର ସିଧା ପ୍ରସାରଣ ଡିଡି ସ୍ପୋର୍ଟ୍ସରେ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।